
quote for the day

God is good

Never reserve your smile for a person.
He may ruin your cute smile.

କାଦାପି ନିଜ ଜୀବନ ବା ଜୀବନରେ ଘଟୁଥିବା ଦୁଃଖ ପାଇଁ ଅସନ୍ତୋଷ ପ୍ରକାଶ କରନ୍ତୁ ନାହିଁ, କାରଣ ପ୍ରଭୁ ସର୍ବଦା ଏକ ପ୍ରତିଭାଶାଳୀ ବ୍ୟକ୍ତି କୁ ହିଁ କଷ୍ଟ ଚରିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥାନ୍ତି ।

.
ଅନୁଭୂତି ବଦଳିଲେ ଅଭିବ୍ୟକ୍ତି ମଧ୍ୟ ବଦଳିଯାଏ
✤●○●○●○●○✤❣️✤○●○●○●○●✤
ସ୍ଵାମୀ ବିବେକାନନ୍ଦଙ୍କ ଜୀବନର ଘଟଣା । ତାଙ୍କର ମହାନ୍ ଗୁରୁ ଶ୍ରୀ ରାମକୃଷ୍ଣ ପରମହଂସ ଥିଲେ ମା’ କାଳୀଙ୍କର ଅନନ୍ୟ ଭକ୍ତ । ଦକ୍ଷିଣେଶ୍ବର କାଳୀ ମନ୍ଦିର, ଯାହାକୁ ‘ମା ଭବତାରିଣୀ’ ମନ୍ଦିର ମଧ୍ୟ କୁହାଯାଏ, ସେଇଠି ପୂଜାରୀ ଥିଲେ । ତାଙ୍କ ପୂଜାର ପ୍ରତ୍ୟେକ କର୍ମରେ ତାଙ୍କର ବ୍ୟକ୍ତିତ୍ଵ ଫୁଟି ଉଠୁଥିଲା । ଧୂପ, ଦୀପ, ନୈବେଦ୍ୟ ଏବଂ ଆରତି ସେ ଏପରି କରୁଥିଲେ, ଯେପରିକି ମା’ କାଳୀ ସାମନାରେ ସ୍ଵୟଂ ବିରାଜିତ । ସ୍ଵାମୀ ବିବେକାନନ୍ଦ ଥିଲେ ପାଶ୍ଚାତ୍ୟ ଦର୍ଶନ ଏବଂ ବେଦାନ୍ତ ଦର୍ଶନର ମହାପଣ୍ଡିତ ଏବଂ ମର୍ମଜ୍ଞ ବିଦ୍ୱାନ । ଶ୍ରୀ ରାମକୃଷ୍ଣଙ୍କର ଏଇ କାମ ତାଙ୍କୁ ବଡ଼ ଅବାଗିଆ ଲାଗୁଥିଲା । ସେ ଭାବୁଥିଲେ ଏଇ ପଥର ପ୍ରତିମାରେ ଏପରି କ’ଣ ଅଛି ଯେ, ଶ୍ରୀ ରାମକୃଷ୍ଣ ଲୁହ ବୁହାଉଛନ୍ତି ଏବଂ ବିହ୍ଵଳ ହୋଇଯାଉଛନ୍ତି ? ଦିନେ ସେ ନିଜର ଚିନ୍ତାକୁ ଅଟକେଇ ପାରିଲେ ନାହିଁ ଏବଂ ପଚାରିଦେଲେ – ‘‘ଏଇ ପଥର ପ୍ରତିମା ସମକ୍ଷରେ ଆପଣ ଲୁହ ବୁହାଉଛନ୍ତି କାହିଁକି ? ଏହା ସାମନାରେ ଏତେ ଭାବବିହ୍ବଳ ହୋଇଯାଉଛନ୍ତି କାହିଁକି ???
ତାଙ୍କର ଏଇ କଥାରେ ଶ୍ରୀ ରାମକୃଷ୍ଣ ରାଗି ଯାଇ କହିଲେ – ‘‘କାହାକୁ ତୁ ପଥର ପ୍ରତିମା କହୁଛୁ ? ମୁଁଯେତେବେଳେ ଆରତି କରେ, କାଳୀ ମୋ ସାମନାରେ ଜୀବନ୍ତ ହୁଅନ୍ତି । ମୁଁ ତାଙ୍କ ନିଃଶ୍ବାସ ମଧ୍ୟ ଅନୁଭବ କରେ । ‘ ତାଙ୍କର ଏଇ କଥା ଶୁଣି ସ୍ଵାମୀ ବିବେକାନନ୍ଦ ଭାବିଲେ- ଲୋକମାନେ ୟାଙ୍କୁ ପାଗଳ କହିବା ଠିକ୍ । ନିଜର ମାନସିକ ପାଗଳାମି ଯୋଗୁଁ ସେ ଏପରି ଅଖାଡୁଆ କଥା କହୁଛନ୍ତି ।’’ ଯଦି ଓ ସେତେବେଳେ ସେ କିଛି କହିଲେ ନାହିଁ । ସେଇଦିନ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଗଲା । ଘରର ଅବସ୍ଥା ଥିଲା ବହୁତ ଖରାପ । ବାପା କୌଣସି ସମ୍ପତ୍ତି ରଖିଯିବା ବଦଳରେ ଋଣ ଛାଡ଼ି ଯାଇଥିଲେ । କୁଟୁମ୍ବର ଲୋକମାନେ ତାଙ୍କ ଘର ଖଣ୍ଡକ ଅଧିକାର କରିବାର ଯୋଜନା କରୁଥିଲେ । ଘରେ ଖାଇବା ପାଇଁ ଭାତ ମୁଠେ ବି ନ ଥିଲା । ଅନେକ ସମୟରେ ଅନାହାରରେ ରହିବାକୁ ପଡ଼ୁଥିଲା । ନିଜର କଷ୍ଟ ତ ସେ ସହି ଯାଉଥିଲେ, କିନ୍ତୁ ଘର ଲୋକଙ୍କର କୃଷ୍ଟ, ମା’ଙ୍କର କଷ୍ଟ ସେ ସହି ପାରୁନ ଥିଲେ ।
ଦିନେ ବ୍ୟସ୍ତ—ବିବ୍ରତ ହୋଇପଡି ସେ ନିଜର ଏବଂ ପରିବାରର କଷ୍ଟ କଥା ଶ୍ରୀ ରାମକୃଷ୍ଣଙ୍କୁ କହିଲେ । ଉତ୍ତରରେ ସେ କହିଲେ – ‘‘ମୋ ପାଖରେ ତ ଏମିତି କିଛି ନାହିଁ ଯେ , ମୁଁ ତତେ ସାହାଯ୍ୟ କରି ପାରିବି । କିନ୍ତୁ ହଁ, ମା’ କାଳୀ ତତେ ସାହାଯ୍ୟ କରି ପାରିବେ । ତୁ ତାଙ୍କ ପାଖରୁ ମାଗୁ ନାହୁଁ କାହିଁକି ?” ଏକଥାରେ ସ୍ଵାମୀ ବିବେକାନନ୍ଦଙ୍କର ବେଦାନ୍ତ ଜ୍ଞାନ ଏବଂ ପାଶ୍ଚାତ୍ୟ ଦର୍ଶନ ବାଧା ସୃଷ୍ଟି କଲା । ସେ କହିଲେ ‘‘ଏଇ ପଥର ପ୍ରତିମା ପାଖରୁ କ’ଣ ମାଗିବି ? ସେ ତ ନିଜର ରକ୍ଷଣାବେକ୍ଷଣ କରିପାରୁ ନାହାନ୍ତି, ମୋ ପାଇଁ ଭଲା କ’ଣ କରି ପାରିବେ ?”’ ଏ କଥାରେ ଶ୍ରୀ ରାମକୃଷ୍ଣ କହିଲେ–
‘‘ନିଜକୁ ବଡ଼ ବେଦାନ୍ତୀ ଭାବୁଛୁ ଆଉ ଜଡ଼-ଚେତନରେ ପ୍ରଭେଦ ଦେଖୁଛୁ । ଏ ଜଗତରେ ଏପରି କ’ଣ ଅଛି, ଯେଉଁଠି ପରମାତ୍ମା ନାହାନ୍ତି ? ଅଖଣ୍ଡ ସଚ୍ଚିଦାନନ୍ଦ ମା’ କାଳୀ ମୂର୍ତ୍ତିରେ ନାହାନ୍ତି ?’’ ଶ୍ରୀ ରାମକୃଷ୍ଣଙ୍କର ଏଇ କଥାର କୌଣସି ଉତ୍ତର ତାଙ୍କ ପାଖେ ନ ଥିଲା । ତାଙ୍କୁ ଚୁପ୍ ରହିବାର ଦେଖି ଶ୍ରୀ ରାମକୃଷ୍ଣ କହିଲେ– ‘‘ଆଚ୍ଛା ! ମୋ କହିବା ଯୋଗୁଁ ତୁ ମା’ ପାଖକୁ ଯା । ତତେ ଯଦି ସେଠି କେବଳ ପଥରର ମୂର୍ତ୍ତି ଦେଖାଯିବ ତ, ତୁ ଆଉ କେବେ ବି ସେଠିକୁ ଯିବୁ ନାହିଁ, କିନ୍ତୁ ତୁ ଯଦି ମା’ଙ୍କର ସାକ୍ଷାତ୍ ଏବଂ ସାକାର ଅନୁଭବ କରି ପାରିବୁ, ତେବେ ତାଙ୍କୁ ତୋ ମନର କଥା କହି ଦେବୁ ।””
ବଡ଼ ବିଚିତ୍ର, ବିଲକ୍ଷଣ ଏଇ କଥା । ଏହା ଗ୍ରହଣ କରିବା ବ୍ୟତୀତ ଅନ୍ୟ କୌଣସି ବାଟ ନ ଥିଲା । ଏହାକୁ କୌଣସି ପ୍ରକାରେ ଅସ୍ଵୀକାର କରାଯାଇ ପାରି ନଥାନ୍ତା । ସେ ଭାବିଲେ– ‘‘ଠିକ୍ ଅଛି, ଶ୍ରୀ ରାମକୃଷ୍ଣଙ୍କ କଥା ମାନି ନେବି ।’’ ମନ ନ ଥାଇ ସେ ଥରେ ରାତିରେ ମା’ଭବତାରିଣୀ ଙ୍କ ମନ୍ଦିରକୁ ଗଲେ । ମନ୍ଦିର ଖାଲି ଥିଲା , ସେଠି କେହି ବି ନ ଥିଲେ । ମନ୍ଦିରରେ ପୂଜା କରୁଥିବା ଲୋକମାନେ ସନ୍ଧ୍ୟା ଆରତି ଓ ଭୋଗ ଲଗାଇବା ପରେ ଚାଲି ଯାଇଥିଲେ । ସେ ପାଖାଆଖରେ କେହି ହେଲେ ନ ଥିଲେ । ଏମିତିରେ ବି ଶ୍ରୀ ବିବେକାନନ୍ଦ ଜାଣିଶୁଣି ରାତିର ସମୟ ବାଛିଥିଲେ, ଯେମିତିକି କାହାରି ସାଙ୍ଗେ ତାଙ୍କର ଦେଖା ହେବ ନାହିଁ । ତାଙ୍କୁ କେହି ଦେଖିବେ ନାହିଁ । ସେ ଭାବିଥିଲେ, ତାଙ୍କୁ ଦେଖିଲେ ଲୋକେ କହିବେ, ଯେଉଁ ମୂର୍ତ୍ତି କୁ ପଥର କହି ଏପର୍ଯ୍ୟନ୍ତ ପରିହାସ କରୁଥିଲେ ତାଙ୍କରି ସାମନାରେ ହାତ ଯୋଡ଼ିବାକୁ ଆସିଗଲେ । ସେଥିପାଇଁ ସେ ରାତିର ସମୟ ବାଛିଥିଲେ ।
କିନ୍ତୁ ଆଶ୍ଚର୍ଯ୍ୟ, ସେ ମା’ କାଳୀଙ୍କ ମନ୍ଦିରକୁ ଗଲାବେଳକୁ ସେଠାରେ କୌଣସି ପଥରର ମୂର୍ତ୍ତି ନ ଥିଲା ସେଠାରେ ମା’ କାଳୀ ସାକ୍ଷାତ ଏବଂ ସାକାର ଉପସ୍ଥିତ ଥିଲେ । ତାଙ୍କର ତ ବିଶ୍ଵାସ ହେଲା ନାହିଁ, ଏହା କିପରି ଭାବରେ ସମ୍ଭବ । ସେ ବାରମ୍ବାର ନିଜର ଆଖି ମଳିଲେ, ନିଜକୁ ଦୋହଲେଇଲେ, କିନ୍ତୁ ସତ୍ୟ ତ ସତ୍ୟ ହିଁ ଥିଲା । ସତରେ ମା’ କାଳୀ ସେଠି ମୁରୁକି ମୁରୁକି ହସୁଥିଲେ । ସତ୍ୟ ଥିଲା ଜୀବନ୍ତ, ଜାଗ୍ରତ, ସମ୍ପୂର୍ଣ୍ଣ । ଏହା ଏପରି ଅନୁଭୂତି, ଯାହାକୁ ଅସ୍ବୀକାର କରିହେବ ନାହିଁ । ଏହାକୁ ସ୍ବୀକାର କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନ ଥିଲା । ପାଶ୍ଚାତ୍ୟ ଦର୍ଶନର ତାଙ୍କର ବିଶେଷଜ୍ଞତା, ବୈଦାନ୍ତ ଦର୍ଶନର ମର୍ମଜ୍ଞତା, ଏଇ ସଘନ ଅନୁଭୂତି ସମକ୍ଷରେ କିଛି ବି କାମରେ ଆସି ପାରିଲା ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଯାହା ସବୁ ପଢ଼ିଥିଲେ, ସେସବୁ ଥିଲା ବହିରେ ଛପା ହୋଇଥିବା କଳା ଅକ୍ଷରର ଧାଡ଼ି, କିନ୍ତୁ ବର୍ତ୍ତମାନ ଯାହା ଅନୁଭୂତ ହେଉଛି, ତାହା ସଘନ ଏବଂ ସମ୍ପୂର୍ଣ୍ଣ । ସ୍ଵୟଂ ଜଗନ୍ମାତା ତାଙ୍କ ସମକ୍ଷରେ ଠିଆ ହୋଇଥିଲେ ।
ନିଜ ପାଇଁ ତାଙ୍କୁ ବଡ଼ ଲାଜ ଲାଗିଲା । ବର୍ତ୍ତମାନ ପର୍ଯ୍ୟନ୍ତ ସେ କ’ଣ ସବୁ ଇଆଡୁ-ସିଆଡୁ ଭାବୁଥିଲେ । କେତେ ଅଯଥା କଥା କହୁଥିଲେ । ଏଇ ମୁହୂର୍ତ୍ତ ରେ କିଛି ହିଁ ପାଟିରୁ ବାହାରି ପାରୁ ନଥିଲା । ଜଗନ୍ମାତାଙ୍କ ଓଠରେ ଥିଲା ମଧୁର ହସ । ସେଇ ମମତାମୟୀଙ୍କର ଆଖି ରେ ଥିଲା ବାତ୍ସଲ୍ୟ । ମା’ଙ୍କ ମୁହଁରେ ଥିଲା ବଡ଼ ସହଜତା । ସେ କହିଲେ – ‘‘ସଙ୍କୋଚ କର ନାହିଁ, ଯାହା ମାଗିବା କଥା ମାଗେ । ତତେ ସବୁ କିଛି ମିଳିବ ।’’ ଏକଥାରେ ସେ ଚିନ୍ତାରେ ପଡ଼ିଗଲେ । ସୃଷ୍ଟିର ସ୍ଵାମିନୀଙ୍କ ପାଖରୁ କ’ଣ ବା ମାଗିବେ । ଜଗତ ଏବଂ ଜୀବନର ଅଧିଶ୍ଵରୀଙ୍କ ପାଖରୁ କ’ଣ ମାଗିବେ, କେତେଟା ପଇସା ବା ଭାତ ମୁଠେ । ତାଙ୍କ ମନ ଲଜ୍ଜାରେ ପୂରିଗଲା । ସେ କିଛି କହି ପାରିଲେ ନାହିଁ, ବହୁତ ଚେଷ୍ଟା କରିବା ପରେ କେବଳଏତିକି କହି ପାରିଲେ- ‘‘ହେ ମା’ ! ତୁ ମତେ ଜ୍ଞାନ ଦେ , ଭକ୍ତି ଦେ, ବୈରାଗ୍ୟ ଦେ ।”” ଫେରିବା ପରେ ଶ୍ରୀ ରାମକୃଷ୍ଣ ପଚାରିଲେ– ‘‘ପଥର ମୂର୍ତ୍ତି ସାଙ୍ଗେ ଦେଖାକରି ଆସିଲୁ ? ସେଠି ତୋର କି ଅନୁଭୂତି ହେଲା ?”’ ସ୍ଵାମୀ ବିବେକାନନ୍ଦଙ୍କୁ ସତ କଥା କହିବାକୁ ପଡ଼ିଲା ‘‘ସେଠି ତ ପଥର ମୂର୍ତ୍ତି ହିଁ ନ ଥିଲା । ସେଠି ତ ସାକ୍ଷାତ ଓ ସାକାର ଜଗନ୍ମାତା ଥିଲେ । ତାଙ୍କ ପାଖରୁ ମୁଁ ଭାତ ମୁଠେ ର ଯାଚନା କରି ପାରିଲି ନାହିଁ । ମୁଁ ତ ତାଙ୍କ ପାଖରୁ ଖାଲି ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ ମାଗିଲି । ସୃଷ୍ଟିର ସ୍ଵାମିନୀଙ୍କ ପାଖରୁ ଭାତ ମୁଠେ ମାଗି ପାରିଥାନ୍ତି କେମିତି ?”’ ଏକଥା ଶୁଣି ଶ୍ରୀ ରାମକୃଷ୍ଣ ହସି ପକେଇଲେ ଏବଂ କହିଲେ– ‘‘ଏବେ ତ ତୁ ମୋ ମା’କୁ ପଥର କହିବୁ ନାହିଁ ।’’ ଉତ୍ତରରେ ସ୍ଵାମୀ ବିବେକାନନ୍ଦ କହିଲେ– ‘‘ମୋର ପୂର୍ବ କଥା ପାଇଁ ପୂର୍ବ ଚିନ୍ତା ପାଇଁ ମତେ ଲାଜ ଲାଗୁଛି । ମୁଁ ତ କ୍ଷମାର ଯାଚକ, ମା’ଙ୍କ ପାଖରୁ ଏବଂ ଆପଣଙ୍କ ପାଖରୁ ମଧ୍ୟ ।’’ ସ୍ଵାମୀ ବିବେକାନନ୍ଦଙ୍କର ଏଇ ଅନୁଭୂତି ତାଙ୍କର ଅଭିବ୍ୟକ୍ତି ବଦଳାଇ ଦେଲା ।