ଲକ୍ଷ୍ମଣ ରେଖା

ଆଖିରେ  ଭରିଛି               ଆଖିଏ ସପନ

              ଇସାରା ଦେଉଛି  କହି

ପ୍ରଥମ ଦେଖାର          ପ୍ରଥମ ପ୍ରେମର

                   ସମସ୍ତ ପ୍ରମାଣ   ଦେଇ ।।

ଛାତି ଅଣଦେଖା             କରଇ ରାତିକୁ

                    ଛୁଇଁବାକୁ ମନା କରି

କହିବା କଥାକୁ            କୁହେଇ  ଦିଏନି

              ଦୂରେଇ ରହୁଛି ଡରି   ।।

ଆଶା ମରିଯାଏ               ଆତ୍ମ ହତ୍ୟା କରି

                   ଭାବନା କାନ୍ଧାଏ ଶବ

ହାଟର ସଉଦା               ବାଟରେ ହଜଇ

                  ଚୋରୀ ହୋଇଯାଏ ନିଦ   ।।

ରାହା ଖୋଜୁ ଖୋଜୁ         ସାହା ହଜିଯାଏ

                   ‌ସମୟ ରହଇ ଏକା

ନିଶ୍ବାସ ଚାଲଇ                 ବିଶ୍ଵାସକୁ ନେଇ

                   ଆଗରେ ଲକ୍ଷ୍ମଣ ରେଖା   ।।

ବାଏ ଶୁଭୁଥାଏ              ହାଏ   ଲୁଚିଯାଏ

                  ଧୀରେ ଧୀରେ ପବନରେ

ଲକ୍ଷ୍ମଣ ରେଖା ମୋ            ଦୁଃଖ ହେଇଯାଏ

               ଡେଇଁ   ହୋଇଯିବା ଡରେ ||

ଶିଶୁଟିଏ ଫୁଲ କଢିଟିଏ

ଶିଶୁଟିଏ ମୁହିଁ ଶିଶୁଟିଏ

ଭାବନାହିଁ ମୋତେ ଛୋଟଟିଏ

ଆଜିମୁହିଁ ଫୁଲ କଢିଟିଏ

ଫୁଟି ହେବି ଦିନେ ଫୁଲଟିଏ ।

ଆଜି ଫୁଟିଅଛି ଯେଉଁ ଫୁଲ

ରୂପେ ବାସେ କରେ ମସଗୁଲ

ମଉଳିବ ଦିନେ ଏହି ଫୁଲ

ଫୁଟି ଆଉଥରେ ସେହି ଫୁଲ

ଦିଶିବନି ଆଉ ସେ ଉଜ୍ଜ୍ବଳ

ଭଅଁରକୁ କରି ସେ ପାଗଳ ।

ଆଜି ସିନା ଛୋଟ କଢିଟିଏ

ଫୁଟି ସାଜିବି ମୁଁ ଫୁଲଟିଏ

ହସି ଖେଳୁଥବା ଫୁଲଟିଏ

ଦେବାଦେବୀଙ୍କର ମାଳଟିଏ

ପୁଷ୍ପାଞ୍ଜଳୀ ପୂଜା ଫୁଲଟିଏ

ଶବାଧାରେ  ହେବି ମାଳଟିଏ

ଅତିଥି ସତ୍କାରେ ଗୁଚ୍ଛଟିଏ

ପ୍ରୀତିର ଗୋଲାପ ଫୁଲଟିଏ ।

ଆଜି ସିନା ମୁହିଁ ଶିଶୁଟିଏ

କାଲିର ସୁନାଗରିକଟିଏ

ମନେ ମୋ ସପନ କୋଟିଏ

ନବ ବିଶ୍ବ ବିଶ୍ବକର୍ମାଟିଏ

ଶାନ୍ତି ମୈତ୍ରୀର ଦୂତଟିଏ

ଅହିଂସା ପୂଜାରୀ ସନ୍ଥଟିଏ ।

ମୁଁ ଅଟେ କାଲିର ନେତାଟିଏ

ଯନ୍ତ୍ରୀ ମନ୍ତ୍ରୀ ରାଷ୍ଟ୍ର ତନ୍ତ୍ରୀଟିଏ

ରୋଗୀର ସେବାରେ ବ୍ରତୀଟିଏ

ଆଶାର ଆଲୋକ ବତିଟିଏ

ସୀମାରେ ଜାଗ୍ରତ ସୈନ୍ୟଟିଏ

ପୁଲିସ୍ ଡାକ୍ତର ଚାଷୀଟିଏ ।

ଶିଶୁଟିଏ ଫୁଲକଢିଟିଏ

ଭବିଷ୍ୟତର ସେ ଆଶାଟିଏ

ଅତିଯତନରେ ବଢାଅ ତାହାକୁ

ଫୁଟି ହୋଇବ ସେ ଫୁଲଟିଏ

ରୂପରେ ଗୁଣରେ ବାସ ଚହଟାଇ

ଅରଜିବ ଯଶ କାଲି ସିଏ ।

କୃତଜ୍ଞତା


ଗାଁ ମୁଣ୍ଡରେ ସ୍କୁଲଟିଏ | ଗାଁ ଟି ବି ବେଶି ବଡ ନୁହେଁ |

ତଥାପି ଗାଁର କିଛି ଶିକ୍ଷିତ ଉଚ୍ଚାକାଙ୍କ୍ଷୀ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଗଢିଉଠିଥିବା ସ୍କୁଲଟି ଅଳ୍ପ ଦିନ ମଧ୍ୟରେ ଏକ ଭଲ ସ୍କୁଲ ଭାବେ ପରିଚୟ ଅର୍ଜନ କରିପାରିଥିଲା | ଆଖ ପାଖ ଗ୍ରାମର ନାମୀ ଦାମୀ ଘରର ପିଲା ଓ ସେମାନଙ୍କର ପିତାମାତାଙ୍କର ସେ ସ୍କୁଲ ହିଁ ପ୍ରଥମ ପସନ୍ଦ | ଏହାର ଉନ୍ନତ ଶିକ୍ଷା ବ୍ୟବସ୍ଥା ସାଙ୍ଗକୁ ଉତ୍ସର୍ଗୀକୃତ ଶିକ୍ଷକ ସେମାନଙ୍କ ଉଦାର ସ୍ନେହ ବୋଳା ଆଚରଣ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ମନରେ ଗଭୀର ପ୍ରଭାବ ପକାଇ ପାରିଥିଲେ |

 ଅଳ୍ପଦିନ ଆଗରୁ ଶିକ୍ଷୟିତ୍ରୀ ଭାବେ ସେ ସ୍କୁଲରେ ଯୋଗ ଦେଇଥାନ୍ତି ଶୀମତୀ ମଧୁମିତା ମହାନ୍ତି | ତ|ଙ୍କୁ ସପ୍ତମ ଶ୍ରେଣୀର କ୍ଳାସ ଟିଚର ଦାୟିତ୍ଵ ଦିଆଯାଇଥାଏ |

ଶ୍ରୀମତୀ ମହାନ୍ତି “Good morning! Love you all , Children! “ କହି ପ୍ରତିଦିନ ତାଙ୍କର କ୍ଳାସ ଆରମ୍ଭ କରନ୍ତି | କିଛିଦିନ ପରେ ଏକ ପିଲାର ଗତିବିଧି ଅନୁଧ୍ୟାନ କରି ସେ ଉପଲବ୍ଧି କଲେ ଯେ ସେ ପିଲାଟିର ଆଚରଣରେ ସେ ସନ୍ତୁଷ୍ଟ ନୁହନ୍ତି|ତେଣୁ ସେହି କ୍ଳାସରେ ତାଙ୍କର ‘Love you all’ ବକ୍ତବ୍ୟଟି ଯେ ସଠିକ , ସେଥିରେ ସେ ସନ୍ଦିହାନ ହେଲେ | ପିଲାଟି କ୍ଳାସର ଶେଷ ଧାଡିରେ ସବୁଦିନେ ବସେ | କୌଣସି ପ୍ରଶ୍ନର ଉତ୍ତର ଦିଏ ନାହି | ସବୁବେଳେ ମୁହଁ ତଳକୁ କରି ବସିଥାଏ |ସ୍କୁଲ ବ୍ୟାଗ ଚିରା |ଡ୍ରେସ ଅପରିଷ୍କାର | ନୁଖୁରା କେଶ |ମୁଣ୍ଡ କୁଣ୍ଡାଇବା ସେ ବୋଧେ ଶିଖି ନାହି |ନାଁ ଟି ତାର ଶୁଭମ |ପଢାଇଲା ବେଳେ ଶ୍ରୀମତୀ ମହାନ୍ତି ସବୁ ପ୍ରକାର ନକାରାତ୍ମକ ଟିପ୍ପଣୀ ଶୁଭମକୁ ଲକ୍ଷ୍ୟ କରି ଦେଇଥାନ୍ତି ଓ ନିଜର ବିରକ୍ତି ଭାବ ତା ଉପରେ ହିଁ ଶେଷ କରିଥାଆନ୍ତି |ସ୍କୁଲର ନିୟମ ଅନୁସାରେ ପ୍ରତି ତିନି ମାସରେ ପିଲାଙ୍କର ତ୍ରୈମାସିକ ପରୀକ୍ଷା ହୋଇ Progress Report ପ୍ରସ୍ତୁତ କରାଯାଏ ଓ ସେସବୁ ପ୍ରଧାନ ଶିକ୍ଷୟିତ୍ରୀ ନିଜେ ତଦାରଖ କରନ୍ତି |

ସପ୍ତମ ଶ୍ରେଣୀର Progress Report ଦେଖିଲା ବେଳେ ଶୁଭମର Progress Report ପାଖରେ ଅଟକିଗଲେ ପ୍ରଧାନ ଶିକ୍ଷୟିତ୍ରୀ | ସପ୍ତମ ଶ୍ରେଣୀର କ୍ଳାସ ଟିଚର ଶ୍ରୀମତୀ ମହାନ୍ତିଙ୍କୁ ଡକାଇଲେ ସେ |ତାଙ୍କୁ କହିଲେ ଛାତ୍ରଟିର କଣ progress ହୋଇଛି ତାହା ଜଣାଇବା ପରିବର୍ତ୍ତେ ଆପଣ ଏସବୁ କଣ ଲେଖିଛନ୍ତି ?

ଶ୍ରୀମତୀ ମହାନ୍ତି ଶୁଭମ ବିରୁଦ୍ଧରେ ସମସ୍ତ ଅଭିଯୋଗ ଜଣାଇବା ପରେ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ଫେରି ଯିବାକୁ କହିଥିଲେ ଓ ଶୁଭମର ଗତ ତିନି ବର୍ଷର progress report ତାଙ୍କ ନିକଟକୁ ପଠାଇ ଦେଇଥିଲେ |

Common Room ରେ ବସି ଶ୍ରୀମତୀ ମହାନ୍ତି ଶୁଭମର Progress Report ପଢୁଥିଲେ |

ଚତୁର୍ଥ ଶ୍ରେଣୀର Progress Report ରେ ମନ୍ତବ୍ୟ : Brilliant and Extraordinary. The Brightest Student of the Class.

ଆଶ୍ଚର୍ଯ୍ୟ ହୋଇଥିଲେ ଶ୍ରୀମତୀ ମଧୁମିତା ମହାନ୍ତି |

ପଞ୍ଚମ ଶ୍ରେଣୀର ମନ୍ତବ୍ୟ : Average , His mother is suffering from terminal Cancer.

ଦୁଃଖରେ ଭାଙ୍ଗି ପଡୁଥିଲେ ଶ୍ରୀମତୀ ମହାନ୍ତି |

ଷଷ୍ଠ ଶ୍ରେଣୀର ମନ୍ତବ୍ୟ : Below Average .He has lost his mother. He needs compassion and due attention.

 ଏହା ପଢି ତାଙ୍କ ମନରେ ଶୁଭମ୍ ପ୍ରତି ଗଭୀର ସମବେଦନା ଜାଗ୍ରତ ହେଲା | ତାଙ୍କ ଦୁଇ ନେତ୍ର ଲୋତକରେ ଭରିଗଲା | Common Room ର ନିଭୃତ କୋଣରେ ବସି ସମସ୍ତଙ୍କ ଅଲକ୍ଷ୍ୟରେ ଲୁହ ପୋଛୁଥିଲେ ଶ୍ରୀମତୀ ମହାନ୍ତି | ତାଙ୍କ ହୃଦୟରେ ଏକ ମମତାମୟୀ ମାଆର କାରୁଣ୍ୟ ଭାବ ଜାଗ୍ରତ ହେଲା |ପରଦିନ କ୍ଳାସରେ ପହଞ୍ଚି ଶ୍ରୀମତୀ ମହାନ୍ତି ପ୍ରତିଦିନ ଭଳି କହିଥିଲେ :“ Love you all Children” |ଦୀର୍ଘଶ୍ଵାସ ନେଇ ଉପଲବ୍ଧି କରିଥିଲେ , ଭୁଲ କହୁଛନ୍ତି ସେ ଶୁଭମକୁ | କେବଳ ଶୁଭମକୁ ହିଁ ସେ ସବୁଠାରୁ ଅଧିକ ଭଲ ପାଆନ୍ତି |ସେଇଦିନଠାରୁ ଶୁଭମ ପ୍ରତି ତାଙ୍କର ଧାରଣା ଓ ବ୍ୟବହାର ବଦଳି ଯାଇଥିଲା |

ବର୍ଷ ଶେଷରେ ପିଲାମାନଙ୍କ ତରଫରୁ ଶ୍ରେଣୀ ଶିକ୍ଷକଙ୍କୁ କିଛି ଉପହାର ଦେବାର ବିଧି ପ୍ରଚଳିତ ଥାଏ ସେ ସ୍କୁଲରେ | ସମସ୍ତଙ୍କ ଉପହାର ସୁଦୃଶ୍ୟ ପ୍ୟାକେଟରେ ସଜାହୋଇ ଥୁଆ ହୋଇଥାଏ | କେବଳ ଗୋଟିଏ ପ୍ୟାକେଟ ଲୋଚାକୋଚା ଖବର କାଗଜରେ ଗୁଡା ହୋଇ କାନ୍ଥ କଡକୁ ଅଣଦେଖା ହୋଇ ପଡିରହିଥାଏ |

କାହିଁକି କେଜାଣି ଶ୍ରୀମତୀ ମହାନ୍ତିଙ୍କ ମନକୁ ଲାଗିଲା କାନ୍ଥ କଡରେ ଥିବା ପ୍ୟାକେଟଟା ନିଶ୍ଚୟ ଶୁଭମର ହୋଇଥିବ |

ପ୍ୟାକେଟଟି ସେ ଖୋଲିଲେ |ସେଥିରେ ଥିଲା ଅଧା ବ୍ୟବହାର କରାଯାଇଥିବା ଏକ scent ଶିଶି ଓ ପୁରୁଣା ଦୁଇ ପଟ ରଙ୍ଗୀନ ପଥର ବସା ବ୍ରୋଞ୍ଜ ଚୂଡି| ସେଥିରୁ ଅନେକ ପଥର ଖସି ଯାଇଥିଲା |

ସାଥି ପିଲାଙ୍କ ହାସ୍ୟରୋଳରେ କ୍ଳାସ କମ୍ପି ଉଠିଥିଲା | ଶ୍ରୀମତୀ ମହାନ୍ତି ନିରବୀ ଯାଇଥିଲେ | ଦେଖୁଥିଲେ ଶୁଭମକୁ| ଶୁଭମ ଚାଲିଯାଇଥିଲା ଅନ୍ୟ ଏକ ଜଗତକୁ | ଖୋଜୁଥିଲା ସେଠାରେ ମା’ର ଆଦର ଓ ସ୍ନେହ ମମତା |

ଅନ୍ୟ ସମସ୍ତ ଉପହାରଗୁଡିକୁ ଏଡେଇ ଦେଇ ନିଜ ଦେହରେ scent କିଛି spray କରିଥିଲେ ଶ୍ରୀମତୀ ମହାନ୍ତି ଏବଂ ପୁରୁଣା ବ୍ରୋଞ୍ଜ୍ ଚୂଡି ଦୁଇ ପଟ ପିନ୍ଧିଥିଲେ ନିଜ ହାତରେ |ଧୀରେ ଧୀରେ ପାଖେଇ ଯାଇଥିଲେ ଶୁଭମ ନିକଟକୁ|ଅପୂର୍ବ ବାତ୍ସଲ୍ୟ ମମତାର ବନ୍ୟାରେ ତାଙ୍କ ମାତୃ ହୃଦୟ ପ୍ଳାବିତ ହେବାରେ ଲାଗିଲା | ସେ ଜୋରରେ ଜାବୁଡି ଧରିଥିଲେ ଆଦରରେ ଶୁଭମକୁ| ଆଖିରୁ ଥିଲା ତାଙ୍କର ଝରିଯାଉଥିଲା ଧାର ଧାର ଲୁହ | ଅନ୍ତରରେ ବହୁଥିଲା ଅଜସ୍ର ମମତାର ଅବାରିତ ଫଲ୍ଗୁ ଧାରା |

ଶ୍ରୀମତୀ ମହାନ୍ତିଙ୍କ ମୁହଁକୁ ଚାହିଁଥିଲା ଶୁଭମ |ଆଖିରେ ଥିଲା ତା’ର ଲୁହ | ଶ୍ରୀମତୀ ମହାନ୍ତିଙ୍କ ଠାରେ ସେ ତା ସ୍ୱର୍ଗୀୟା ମାଆଙ୍କୁ ଯେପରି ଖୋଜି ପାଇଥିଲା | ସେ କହି ପକାଇଲା , “ମୁ ମା’ଙ୍କୁ ଆଜି ଖୁବ ପାଖରୁ ଦେଖି ପାରୁଛି ,ତାଙ୍କର ଉପସ୍ଥିତି ଅନୁଭବ କରି ପାରୁଛି| ଏଇ scent ମା’ ଙ୍କର ଅତି ପ୍ରିୟ | ମା’ଙ୍କୁ ମଶାଣିକୁ ନେଲା ପୂର୍ବରୁ ତାଙ୍କ ହାତରୁ ଏଇ ଚୂଡି ଦୁଇପଟ ଖୋଲି ଦିଆଯାଇଥିଲା |” ଏହାପରେ ଦିନ ମାସ ହୋଇ ସରିଯାଉଥିଲା ବର୍ଷ |ଶୁଭମର ବିଦ୍ୟାଳୟ ଶିକ୍ଷା ଶେଷ ହେଲା |ଶ୍ରୀମତୀ ମହାନ୍ତିଙ୍କ ସ୍ନେହ ମମତାପୂର୍ଣ୍ଣ ଶିକ୍ଷାଦାନ ତାକୁ ମାତୃ ବିୟୋଗ ଦୁଃଖରୁ ମୁକ୍ତ କରି ଏକ କୃତୀ ଛାତ୍ରରେ ପରିଣତ କଲା | ଦଶମ ଶ୍ରେଣୀ ପରୀକ୍ଷାରେ ନବେ ପ୍ରତିଶତ ନମ୍ବର ରଖି ଜାତୀୟ ମେଧା ବୃତ୍ତି ପାଇ ଉଚ୍ଚମାଧ୍ୟମିକ ଶ୍ରେଣୀରେ ନାମ ଲେଖାଇଲା |ଏହା ପରେ ସେ ଆଉ ପଛକୁ ଫେରିନି |

ବଢି ଚାଲିଲା ଆଗକୁ ଆଗକୁ |

ପ୍ରତି ଶିକ୍ଷା ବର୍ଷର ଶେଷରେ ଶ୍ରୀମତୀ ମହାନ୍ତିଙ୍କ ନିକଟକୁ ଚିଠିଖଣ୍ଡେ ଆସୁଥିଲା | ଶୁଭମ ଲେଖୁଥିଲା , “ଅନେକ ଶିକ୍ଷକଙ୍କ ପାଖରେ ପାଠ ପଢିଛି | ସମସ୍ତଙ୍କ ଭିତରେ ଆପଣ କିନ୍ତୁ ସର୍ବୋତ୍ତମ |”

ଏହାରି ଭିତରେ ଅନେକ ବର୍ଷ ବିତି ଯାଇଥିଲା |ଶୁଭମ ଉଚ୍ଚ ଶିକ୍ଷା ପାଇଁ ସହରକୁ ଚାଲି ଯାଇଥିଲା | ଶ୍ରୀମତୀ ମହାନ୍ତି ମଧ୍ୟ ଚାକିରିରୁ ଅବସର ନେଇ ସାରିଥିଲେ |ଦୀର୍ଘଦିନ ଧରି କେହି କାହାର ଖବର ରଖି ନଥିଲେ |

ଶ୍ରୀମତୀ ମହାନ୍ତିଙ୍କ ଠିକଣାରେ ଦିନେ ଖଣ୍ଡେ ଚିଠି ମିଳିଲା | ଲେଖିଥିଲା ଶୁଭମ୍ |ଚିଠିରେ ଲେଖାଥିଲା , “ମାଡ଼ାମ! ଏହାରି ଭିତରେ ମୋର ପାଠ ଶେଷ ହୋଇଯାଇଛି| ଅନେକ ଶିକ୍ଷକଙ୍କ ଭିତରେ ଆପଣଙ୍କୁ ଖୋଜି ପାଇବାକୁ ଚେଷ୍ଟା କରିଛି ,କିନ୍ତୁ କେଉଁଠି ହେଲେ ପାଇ ନାହିଁ|ଆପଣ ହିଁ ମୋ ଶିକ୍ଷା ଜୀବନର ସର୍ବଶ୍ରେଷ୍ଠ ଶିକ୍ଷକ| ମୋର ବାହାଘର ଠିକ ହୋଇଛି | ଆପଣଙ୍କ ଅନୁପସ୍ଥିତିରେ ତାହା ସମ୍ଭବ ହେବ ନାହିଁ|ଆପଣଙ୍କ ଆଶୀର୍ବାଦକୁ ଅପେକ୍ଷା କରୁଛି |”ପ୍ରେରକ ଥିଲେ – Dr. Subham Ray |ଚିଠି ଭିତରେ ଯିବା ଆସିବା ପାଇଁ Air ticket ମଧ୍ୟ ଆସିଯାଇଥିଲା |

ଶ୍ରୀମତୀ ମହାନ୍ତିଙ୍କ ଆଖିରେ ନାଚି ଯାଇଥିଲା ଛୋଟିଆ ଶୁଭମର ଦୁଃଖଦ ମୁହଁଟି |ସେ ନିଜକୁ ରୋକିପାରିଲେ ନାହିଁ |

ବିବାହ ମଣ୍ଡପରେ ପହଞ୍ଚିଲା ବେଳକୁ ଅତିଥି ମାନଙ୍କର ଭିଡ ଥିଲା|Reception Hall ର ଶେଷରେ ପଡିଥିବା ଏକ ଖାଲି ଚେୟାର ଦେଖି ବସିଲେ ଶ୍ରୀମତୀ ମହାନ୍ତି |ଅବିଳମ୍ବେ କେତେଜଣ ସ୍ଵେଚ୍ଛାସେବୀ ତାଙ୍କୁ ଆଦରରେ ବାଟ କଢାଇ ନେଇଗଲେ ସାମନାରେ ପଡିଥିବା ଏକ ସୁସଜ୍ଜିତ ଏକ ଚେୟାର ନିକଟକୁ | ସେଥିରେ ପ୍ଲାକାର୍ଡରେ ଲେଖଥିଲା , ‘ମାଆ‘ |ପାଖରେ ଠିଆ ହୋଇଥିଲେ ବରକନ୍ୟା|ଉଭୟ ପ୍ରଣିପାତ କରିଥିଲେ ତାଙ୍କୁ| ବସାଇଥିଲେ ଖୁବ୍ ଆଦରରେ| ତାଙ୍କ ପାଦ ତଳେ ବସିଥିଲା ଶୁଭମ |ନିଜ ପତ୍ନୀକୁ ତଳେ ବସିବାକୁ ନିର୍ଦ୍ଦେଶ ଦେଇଥିଲା |

ଶ୍ରୀମତୀ ମହାନ୍ତି ପିନ୍ଧିଥିଲେ ଶୁଭମ ମା’ ଙ୍କର ବ୍ରୋଞ୍ଜ ଚୁଡି ଓ ତାଙ୍କ ଦେହରୁ ଆସୁଥିଲା ଶୁଭମର ସେଇ ପରିଚିତ scent |ଶୁଭମ୍ ଚାହିଁଥିଲା ଶ୍ରୀମତୀ ମହାନ୍ତିଙ୍କ ମୁହଁକୁ |ଶ୍ରୀମତୀ ମହାନ୍ତିଙ୍କ ହାତ ଥିଲା ଶୁଭମର ମୁଣ୍ଡଉପରେ | ଉଭୟଙ୍କ ଆଖିରେ ଲୋତକର ବନ୍ୟା |

ନିଜ ପତ୍ନୀଙ୍କୁ ଶ୍ରୀମତୀ ମହାନ୍ତିଙ୍କର ପରିଚୟ କରାଇ ଦେଇ ଶୁଭମ କହିଥିଲା ,“ ଯାହାଙ୍କୁ ତୁମେ ଆଜି ସାମନାରେ ଦେଖୁଛ, ସେ ମୋ ମା’ ଙ୍କର ଦ୍ଵିତୀୟ ଅବତାର | ଜୀବନରେ ମୁଁ ଆଜି ଯାହା ହୋଇଛି , କେବଳ ଏହି ମହୀୟସୀ ମହିଳାଙ୍କ ଆଶୀର୍ବାଦ ପାଇଁ ତାହା ସମ୍ଭବ ହୋଇଛି|”ଶୁଭମର କୃତଜ୍ଞତାରେ ଅଭିଭୂତା ହୋଇ

ଲୁହ ପୋଛୁଥିଲେ ଶ୍ରୀମତୀ ମହାନ୍ତି |ଶୁଭମର ନୂତନ ବିବାହିତା ପତ୍ନୀକୁ କହିଥିଲେ, “ଶୁଭମ ସହିତ ପରିଚୟ ପରେ ମୋର ଅନୁଭୂତି ହୋଇଛି , ତା’ବିନା ମୁଁ କେବେ ଭଲ ଶିକ୍ଷୟିତ୍ରୀଟିଏ ହୋଇପାରିନଥାନ୍ତି| ଜଣେ ଶିକ୍ଷୟିତ୍ରୀ ପ୍ରଥମେ ପ୍ରତି ପିଲାଙ୍କ ପାଇଁ ଜଣେ ମା’ ହେବା ଉଚିତ୍|

ତା ପରେ ସେ ଜଣେ ଉତ୍ତମ ଶିକ୍ଷୟିତ୍ରୀ ହୋଇ ପାରିବ |

ଏ କାହାଣୀ ଶେଷରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନୁରୋଧ କରିବି , ଦେଖନ୍ତୁ, ଆପଣମାନଙ୍କ କ୍ଳାସରେ ନିଶ୍ଚୟ କେହିନା କେହି ଶୁଭମ ଆପଣଙ୍କ ସହାୟତା ଓ ଆଶୀର୍ବାଦ ପାଇଁ ଅପେକ୍ଷା କରିଛି | ମୋର ବିଶ୍ଵାସ ଆପଣଙ୍କର ସାମାନ୍ୟ ସାହାଯ୍ୟ ତାକୁ ଉନ୍ନତିର ମାର୍ଗ ଦେଖାଇ ପାରିବ |

ଶିଶୁର ହୃଦୟ

ଶିଶୁର ହୃଦୟକୁ ଛୂଇଁବା ନା ଦଣ୍ଡ ଦେବା ?


ଗାଆଁ ମୁଣ୍ଡରେ ଏକ ନୂଆଁଣିଆ ଚାଳଘର ।ଘରଟିରେ ଏକ ଛୋଟ ଜଳଖିଆ ଦୋକାନ ଚାଲେ । ଦୋକାନର ମାଲିକ ମଙ୍ଗୁଭାଇ । କେବଳ ଜଳଖିଆ ବିକିଲେ ଆଖିଦୃଶିଆ ଲାଭ

ହୁଏ ନାହିଁ ।ଛୋଟ ଗାଆଁଟା।କେତେ ବା ବେପାର ହେବ !ତେଣୁ ମଙ୍ଗୁଭାଇ ଜଳଖିଆ ସାଙ୍ଗକୁ

ପାନ,ବିଡି,ସିଗାରେଟ୍,ଗୁଟୁକା,ଖଇନି ଠାରୁ ଆରମ୍ଭ କରି କଲମ କାଗଜ ପର୍ଯ୍ୟନ୍ତ ରଖିଥାଆନ୍ତି ।ଗୋଟିଏ ନହେଲେ ଅନ୍ୟ ଦ୍ରବ୍ୟ ବିକି ଦିନକୁ ପାଞ୍ଚ ଛଅ ଶହରୁ ହଜାରେ ଭାରତୀୟ ମୁଦ୍ରା ଲାଭ ହୁଏ ।

ଦୋକାନ ସାମନା ଦେଇ ଲମ୍ବିଯାଇଛି ସଂକୀର୍ଣ୍ଣ

ଗ୍ରାମ୍ୟ ରାସ୍ତାଟିଏ ।ଆଗରୁ ରାସ୍ତାଟି ମାଟି ଗୋଡିର ରାସ୍ତା ଥିଲା । ସେହି ଗାଆଁର ପୁଅ ପିଙ୍ଗୁଭାଇ ସରପଞ୍ଚ ନିର୍ବାଚନରେ ଜିଣି ସରପଞ୍ଚ ହୋଇଥିବାରୁ ସେ ନାଲିମୁୁଣ୍ଡିଆ ରାସ୍ତା କଂକ୍ରୀଟ ରାସ୍ତାର ରୂପ ନେଇଛି ।

ରାସ୍ତା ଆରପଟେ ଗାଆଁ ବିଦ୍ୟାଳୟ ।ଦିନବେଳା ପିଲାମାନଙ୍କ କୋଳାହଳରେ ବିଦ୍ୟାଳୟଟି ଜୀବନ୍ତ ହୋଇଉଠେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେଲେ ଶ୍ରୀଯୁକ୍ତ ତ୍ରିଲୋଚନ ମହାନ୍ତି ।ଜଣେ ଜ୍ଞାନୀ ଗୁଣୀ ଅମାୟିକ ଭଦ୍ରଲୋକ । ଦୀର୍ଘ ତିରିଶ ବର୍ଷ ଚାକିରୀ କାଳ ମଧ୍ୟରେ ଓଡିଶାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରିଛନ୍ତି । ଜଣେ ଛାତ୍ର ବତ୍ସଳ ଶିକ୍ଷକ ଭାବରେ ସେ ବେଶ୍ ଜଣାଶୁଣା ।କୋମଳମତୀ ଚପଳଶିଶୁମାନଙ୍କୁ ସେ ଯତ୍ନ ସହକାରେ ଅତି ସନ୍ତର୍ପଣରେ ଅନୁଧ୍ୟାନ କରନ୍ତି ।

ବିଦ୍ୟାଳୟରେ ସେ ଏକ ଦଣ୍ଡମୁକ୍ତ ଆମୋଦ ଦାୟକ, ଆନନ୍ଦ ଦାୟକ ପରିବେଶ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି ।ଛାତ୍ର ଛାତ୍ରୀଗଣ ନିର୍ଭୟରେ ନାଚ ଗୀତ ଖେଳ ମାଧ୍ୟମରେ

ଶିକ୍ଷା ଗ୍ରହଣ କରନ୍ତି । ନା ଅଛି ଛାତ୍ର ଛାତ୍ରୀଙ୍କ ମନରେ ମାଡ ଭୟ ,ନା ଅଛି ଶିକ୍ଷକଙ୍କ ନାଲି ଆଖି । ସେଠାରେ ଶିକ୍ଷକ ହେଲେ ଜଣେ friend ,philosopher and guide(ବନ୍ଧୁ,ଦାର୍ଶନିକ ଓ ମାର୍ଗ ଦର୍ଶକ) ।

ପ୍ରତିଦିନ ସକାଳେ ପ୍ରାର୍ଥନା “ଆ ହେ ଦୟାମୟ ବିଶ୍ବ ବିହାରୀ….. ସତ କହିବାକୁ କିଆଁ ଡରିବି ,ସତ କହି ମଲେ ପଛେ ମରିବି ”ରୁ ଶିଶୁଟି ଉତ୍ତମ ଚରିତ୍ରଯୁକ୍ତ ସତ୍ୟବାଦୀ ଆଦର୍ଶ ନାଗରିକ କରି ଗଢିତୋଳିବାକୁ ଭଗବାନଙ୍କ ନିକଟରେ ବିନତି କରେ ।ଏହାପରେ ଶପଥ ପାଠ,ଅନୁଚିନ୍ତା,ସେଦିନର ଖବର,ଜ୍ଞାନ ବିଜ୍ଞାନ,

ଏକ ଶ୍ରେଣୀଦ୍ବାରା ପ୍ରସ୍ତୁତ କାର୍ଯ୍ୟକ୍ରମ ପରେ ଜାତୀୟ ସଂଗୀତ ଗାନ କରାଯାଏ । ଶିକ୍ଷକମାନେ ଅତି ସ୍ନେହରେ ପାଠ୍ୟଦାନ କରନ୍ତି ।ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତିି ଦିଗରେ କାର୍ଯ୍ୟ କରନ୍ତି ।ଯାହାର ଫଳ ସ୍ବରୂପ ବିଦ୍ୟାଳୟର ଛାତ୍ର ଛାତ୍ରୀଗଣ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ପାରଦର୍ଶିତା ପ୍ରତିପାଦନ କରିପାରିଛନ୍ତି।

ସମୟ ଚାରିଟା । ଟିଙ୍ଗ୍ ଟିଙ୍ଗ୍ ହୋଇ ସ୍କୁଲ ଘଣ୍ଟି ବାଜିଉଠିଲା । ଘରବାହୁଡା ଛାତ୍ର ଛାତ୍ରୀମାନଙ୍କ ଆନନ୍ଦ କୋଳାହଳରେ ଗାଆଁ ଦାଣ୍ଡ ଉଛୂଳି ପଡିଲା ।ପିଲାମାନଙ୍କର ହସ ହସ ମୁହଁ ଦେଖିଲେ ମନ ଆନନ୍ଦରେ ନାତିଉଠେ ।

ମଙ୍ଗୁଭାଇ ଦୋକାନରେ ଚାଆ ପିଆଳିଙ୍କ ଭିଡ ।ସରପଞ୍ଚ ପିଙ୍ଗୁଭାଇ ଚେଲା ଚାମୁଣ୍ଡାଙ୍କ ସାଙ୍ଗରେ ଚାଆ ପିଉଥାଆନ୍ତି ।

ଜମିଥାଏ ଗପର ଆସର । ସ୍ବଚ୍ଛ ଭାରତ ପାଇଖାନାଠାରୁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ପର୍ଯ୍ୟନ୍ତ କେତେ କଣ ବିଷୟରେ ଆଲୋଚନା ହେଉଥାଏ । ସ୍କୁଲରୁ ତ୍ରିଲୋଚନ ସାର୍ ବାହାରୁଥାଆନ୍ତି। ସରପଞ୍ଚ ପିଙ୍ଗୁ ଭାଇଙ୍କ ନଜର ପଡିଗଲା ସାର୍ ଙ୍କ ଉପରେ ।

ତତ୍ କ୍ଷଣାତ୍ ବଡ ପାଟିରେ ଡାକି କହିଲେ,“ସାର୍!

ନମସ୍କାର! ଟିକିଏ ଆସନ୍ତୁ ।ଚାଆ ପିଇବା ।”

ପ୍ରଧାନ ସାର୍ ଆସିଲେ ।ମଙ୍ଗୁଭାଇ ଏକ ପ୍ଲାଷ୍ଟିକ୍ ଚୌକିଟେ ବଢାଇ ଦେଇ ବସିବାକୁ ଅନୁରୋଧ କଲେ । ମଙ୍ଗୁଭାଇ ଚା କପ୍ ସାର୍ ଙ୍କ ହାତକୁ ବଢାଇ ଦେଲେ । ପିଙ୍ଗୁଭାଇ ସାର୍ ଙ୍କ ଭଲମନ୍ଦ ପଚାରି ବୁଝିଲେ । ଏହି ସମୟରେ ମଙ୍ଗୁଭାଇ କହିଲେ ,“ସାର୍ !ମୋ ପୁଅଟି ମୋଟେ ପାଠ ପଢୁ ନାହିଁ ।

କାହାରିକୁ ଡରୁ ନାହିଁ । ମୁଁ ଯେତେ ବେଳେ କହୁଛି ,ରହ ତୋ ସାର୍ ଙ୍କୁ କହିବି, ସେ ତୋତେ କଙ୍କାଳେ ଛେଚିବେ । ସେ ସଙ୍ଗେ ସଙ୍ଗେ ମୋତେ ଜବାବ ଦେଇ କହୁଛି ,“ବାପା! ତୁମେ ଜାଣିନ କି ? ତୁମ ଦୋକାନ ସାମନା ସ୍କୁଲ କାନ୍ଥରେ ବଡ ବଡ ଅକ୍ଷରରେ ଲେଖାଯାଇଛି ‘ଦଣ୍ଡମୁକ୍ତ ଅଞ୍ଚଳ’

ଏହାର ଅର୍ଥ ଶିଶୁକୁ ମାଡ ମରାଯାଇପାରିବ ନାହିଁ ।

ଏହାପରେ TOLL FREE ନମ୍ବରଟି ଏକା ନିଶ୍ବାସକେ ଗାଇଗଲା । ” ପିଙ୍ଗୁ ଭାଇ ତାଳରେ ତାଳ ମିଶାଇ କହିଲେ,“ଭୟ ଥିଲେ ସିନା ଜୟ ଥାଏ । ମାଡ ହେଲେ ସିନା ଛାତ୍ର ଛାତ୍ରୀ ଡରିବେ ।ପିଲାମାନେ ଅନୁଶାସନ ମାନିବା ଶିଖିବେ ।ଅନୁଶାସିତ ହେଲେ ସିନା ଜୀବନ ଶୃଙ୍ଖଳିତ ହେବ |ଜୀବନ ଶୃଙ୍ଖଳିତ ହେଲେ ସେମାନେ ଉତ୍ତମ ନାଗରିକ ଭାବେ ଉନ୍ନତି ପଥରେ ଅଗ୍ରସର ହେବେ |

ସରକାର ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରି ମସ୍ତ ବଡ ଭୁଲ୍ କରିଛନ୍ତି । ଗାଆଁ ଗହଳର ଗରିବ ଶିଶୁମାନଙ୍କୁ ମୂର୍ଖ କରିବାର ବାଟ ପରିସ୍କାର କରିଛନ୍ତି । ଶିକ୍ଷକ ହାତରୁ ବେତ ଛଡାଇ ସବୁବେଳେ toll free number ଜରିୟାରେ ଏକ ଭୟ ସୃଷ୍ଟି କରିଛନ୍ତି ।

ତେଣୁ ଶିକ୍ଷକମାନେ ଡରି ଛାତ୍ର ଛାତ୍ରୀଙ୍କ ସବୁ ଭୁଲକୁ ଅଣଦେଖା କରିବାକୁ ଉଚିତ୍ ମଣୁଛନ୍ତି । ତେଣୁ ,ସାର୍ !

ଆପଣ ଏକ ବିଦ୍ୟାଳୟ ପରିଚାଳନା କମିଟି ଓ ଅଭିଭାବକଙ୍କ ସଭା ଡାକି ଏ ବିଷୟ ଆଲୋଚନା କରି ଦଣ୍ଡ ବ୍ୟବସ୍ଥାକୁ ବିଦ୍ୟାଳୟରେ ପୁନର୍ବାର ପ୍ରଚଳନ କରନ୍ତୁ ।” ଏହା ଶୁଣି ପ୍ରଧାନ ସାର୍ ମଙ୍ଗୁଭାଇ ଓ ପିଙ୍ଗୁ ଭାଇଙ୍କୁୃ କହିଲେ, “ଆପଣ ଦୁହେଁ ତ ଆମ ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ । ଆସନ୍ତା ଶନିବାର ବିଦ୍ୟାଳୟରେ ହେବାକୁ ଥିବା ଶିକ୍ଷକ ଅଭିଭାବକ ସଭାରେ ଯୋଗଦାନ କରନ୍ତୁ । ସଠାରେ ଆମ ବ୍ଲକ୍ ଶିକ୍ଷା ଅଧୀକାରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟ କ୍ରମ ରହିଛି । ସେଠାରେ ଏ ବିଷୟରେ ଆଲୋଚନା କରିବା ।” ମଙ୍ଗୁ ଓ ପିଙ୍ଗୁ ସାର୍ ଙ୍କ କଥାରେ ରାଜି ହୋଇ ସଭାରେ ଯୋଗ ଦେବାକୁ ସମ୍ମତି ଜଣାଇଲେ ।

ଶନିବାର ଦିନ ସାଢେ ଏଗାରଟାରେ ପି.ଟି .ଏ.

ସଭା ଆରମ୍ଭ ହେଲା ।ପ୍ରଧାନ ସାର୍ ସମସ୍ତଙ୍କୁ ସ୍ବାଗତ ଜଣାଇ ସଭା କାର୍ଯ୍ୟ ଆଗେଇ ନେଲେ । ଉପସ୍ଥିତ ସଭିଏଁ ଶିଶୁମାନଙ୍କୁ ଅନୁଶାସିତ କରିବାକୁ ଦଣ୍ଡ ବିଧାନ ସପକ୍ଷରେ ଯୁକ୍ତି ଉପସ୍ଥାପନ କଲେ । ଏହି ସମୟରେ ଏକ ଗୁରୁତ୍ବପୂର୍ଣ୍ଣ ନଥି ଦରକାର ହେବାରୁ ଏକ ରୁମ୍ ର ତାଲା ଖୋଲିବାକୁ ପ୍ରଧାନ ସାର୍ ପିଅନକୁ କହିଲେ । କିନ୍ତୁ ପିଅନ କହିଲା ,ସାର୍ !ମୁଁ ଚାବିଟା ହଜାଇ ଦେଇଛି ।ତାକୁ ଖୋଲିବା କଷ୍ଟକର ।”

ସାର୍ କହଲେ ,ଚାବିନେନ୍ଥାର ଅନ୍ୟ ଚାବିରେ ଖୋଲିବାକୁ ଚେଷ୍ଟାକର ,ନହେଲେ ତାଲାଟିକୁ ଭାଙ୍ଗି ଦିଅ ।”

ସମସ୍ତେ ପାଖରେ ଥିବା ସମସ୍ତ ଚାବିରେ ଖୋଲିବାକୁ ଆପ୍ରାଣ ଚେଷ୍ଟା କଲେ ।କିନ୍ତୁ ତାଲା ଖୋଲିଲା ନାହିଁ ।ତାପରେ ହାତୁଡିରେ ତାଲାକୁ ପିଟି ପିଟି ନୟାନ୍ତ ହେଲେ କିନ୍ତୁ,ତାଲାକୁ ଖୋଲି କିମ୍ବା ଭାଙ୍ଗି ପାରିଲେ ନାହିଁ ।ଶେଷରେ ଏକ

ମିସ୍ତ୍ରୀଙ୍କୁ ଡକାଗଲା ତାଲାଟିକୁ ଖୋଲିବାକୁ ।ମିସ୍ତ୍ରୀ ଆସିଲା । ତାଲାଟିକୁ ଭଲଭାବେ ଦେଖିଲା ।ଶେଷରେ ସେ ଖଣ୍ଡିଏ ତାରଆଣିଲା ।ତାକୁ ଟିକିଏ ବଙ୍କା କରିଦେଲା ।ତାଲାର ରନ୍ଧ୍ରର ଟିକିଏ ତେଲ ପକାଇ ଦେଲା ।ତାପରେ ଚାବି ପୁରାଇବା ଜାଗାରେ ତାରର ବଙ୍କା ଅଂଶଟିକୁ ପୁରାଇ ଟିକିଏ ମୋଡି ଦେଲେ । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ତାଲାଟି ନିମିଷକ ମଧ୍ୟରେ ଖୋଲିଗଲା । ପ୍ରଧାନ ସାର୍ ମିସ୍ତ୍ରୀକୁ ପଚାରିଲେ, “ସଭିଏଁ ହାତୁଡିରେ ଏତେ ପିଟିଲେ, ଅଥଚ ତାଲାଟି ଖୋଲିଲା ନାହିଁ ।କିନ୍ତୁ ତୁମେ କେଉଁ ଯାଦୂ କଲ ଯେ ଏତେ ସହଜରେ ତାଲାଟିକୁ ଖୋଲି ଦେଲ?” ମିସ୍ତ୍ରୀ କହଲା ,“very simple! ଆପଣମାନେ ତାଲାର ପିଠିକୁ ପ୍ରହାର କଲେ ।ତେଣୁ ସେ ଖୋଲିଲା ନାହିଁ।

ମୁଁ ତାଲାର ଦିଲ୍ କୁ ଛୂଇଁ ଦେଲି । ତେଣୁ ତା ଦିଲ୍ ତରଳି ଗଲା ।ଫଳରେ ତାଲା ଖୋଲି ଗଲା ।” ପ୍ରଧାନ ସାରଙ୍କ ମନକୁ ଉତ୍ତରଟା ବେଶ୍ ଭଲ ଲାଗିଲା ଏବଂ ଅଭିଭାବଙ୍କ ପାଇଁ ଏକ ଭଲ ଉତ୍ତର ତାଙ୍କୁ ମିଳିଗଲା ।

ଶେଷରେ ପ୍ରଧାନ ସାର୍ ତାଙ୍କର ସଭାପତିଙ୍କ ଅଭିଭାଷଣ ଆରମ୍ଭ କଲେ । କହିଲେ,“ବନ୍ଧୁଗଣ! ମୁଁ ଆପଣମାନଙ୍କୁ ମୋର ପ୍ରୀତିଭରା ନମସ୍କାର !ମୁଁ ବିଦ୍ୟାଳୟ ଦଣ୍ଡମୁକ୍ତ ଅଞ୍ଚଳ ହେବା ସମ୍ପର୍କୀୟ ସମସ୍ତ ବିଷୟ ଆନ୍ତରିକତାର ସହ ଶୁଣିବାର ସୁଯୋଗ ପାଇ ଅତ୍ୟନ୍ତ ପ୍ରୀତ ହେଲି ।

ତେବେ ଶେଷରେ ମୁଁ ଏକ କାହାଣୀ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଉଚିତ ମଣୁଅଛି।ମୁଁ ଆଶାକରିବି ଆପଣମାନେ ଏ କାହାଣୀକୁ ଧୈର୍ଯ୍ୟ ସହକାରେ ଶୁଣିବା ହେବେ ।କାହାଣୀର ଶିର୍ଷକ ହେଲା “ତାଲାର ହୃଦୟ”। ଏହାପରେ ପ୍ରଧାନ ସାର୍ କାହାଣୀ ଆରମ୍ଭ କଲେ।

“ଆମ ବି ବିଦ୍ୟାଳୟର ଏକ ତାଲାର ଚାବି ହଜି ଯାଇଥିଲା ।

ହାତୁଡିରେ ଯିଏ ଯେତେ ପାରିଲେ ତାଲାକୁ ପିଟିଲେ ।କିନ୍ତୁ ଯେତେ ଯୋର ଜବରଦସ୍ତି ତାଲା ଖୋଲିବାକୁ ଚେଷ୍ଟା କଲେ ବି ତାଲା ଆଦୌ ଖୋଲିଲା ନାହିଁ । ଶେଷରେ ମିସ୍ତ୍ରୀକୁ ଡକାଗଲା । ମିସ୍ତ୍ରୀ ନିମିଷକେ ତାରଟିଏ ଦ୍ୱାରା ତାଲାଟିକୁ ଖୋଲି ଦେଲା । ଏହାର ରହସ୍ୟ ପଚାରିବାରୁ ମିସ୍ତ୍ରୀ

କହିଲା ଯେ “ୟେ ଦିଲ୍ କା ମାମଲା ହୈ” ସେ ତାଲାର ହୃଦୟକୁ ଛୂଇଁପାରିଲା ,ତେଣୁ ତାଲାଟି ସହଜରେ ଖୋଲିଗଲା ।ଆମେ ଜୋର ଜବରଦସ୍ତି କରି ତାଲା ପିଠିରେ ବାଡେଇଲୁ ।ତେଣୁ ଜୋର ଜବରଦସ୍ତି ଦ୍ବାରା କୌଣସି କାର୍ଯ୍ୟ ଠିକ୍ ଭାବେ ହୋଇପାରେ ନାହିଁ । ତାଲାର ଏକ ହୃଦୟ ଅଛି ଯାହାକୁ ମିସ୍ତ୍ରୀ ଛୂଇଁ ପାରିବାରୁ ତା କଥାରେ ତାଲାଟି ଖୋଲି ଗଲା । ପ୍ରତ୍ୟେକ ଶିଶୁ ଠିକ୍ ସେହି ତାଲା ପରି ।ତାର ବି ଗୋଚିଏ ହୃଦୟ ଅଛି । ଠିକ୍ ତାଲାପରି ।

ତାରଖଣ୍ଡକ ଯେପରି ତାଲାର ହୃଦୟକୁ ଛୂଇଁ ପାରି ତାଲାକୁ ଚାବି କାଠି ପରି ଖୋଲିବାରେ ସମର୍ଥ ହେଲା,ଠିକ୍ ସେହିପରି କୋମଳମତୀ ଶିଶୁର ମନ ବୁଝି ମିଠା କଥା କହି ଭଲ ଭାବରେ ବୁଝାଇକହିଲେ ତାହା ତାହାର ହୃଦୟକୁ

ଛୂଇଁ ପାରିବ ାତାଲାଟି ପରି ସେ କଥା ମାନିବ ।

ସବୁ କିଛି ଆମ କଥା ଅନୁଯାୟୀ କରିବ ।ଆମକୁ ଆଦର୍ଶ ଭାବି ସବୁ କିଛି ନିର୍ଦ୍ଦେଶ ଅନୁସାରେ କରିବ ।

ଆମକୁ ତା ହୃଦୟର ଭାଷା ପଢି ତା ମନ ବୁଝି ତାକୁ ଯାହା କହିବା ତାକୁ ସେ ଅକ୍ଷରେ ଅକ୍ଷରେ ପାଳନ କରିବ ।

ତାକୁ ନବୁଝି ଯଦି ତା ପିଠିରେ ପ୍ରହାର କରିବା କିମ୍ବା ଅନ୍ୟ ପ୍ରକାର ଶାରିରିକ ଅବା ମାନସିକ ନିର୍ଯ୍ୟାତନା ଦେବା ତେବେ ତାର ମନ ଭାଙ୍ଗିଯିବ ।କୌଣସି କଥା ସେ ଗ୍ରହଣ କରିବ ନାହିଁ । ମାନସିକ ସ୍ତରରେ ସେ ଦୁର୍ବଳରୁ ଦୁର୍ବଳତର ହେବାକୁ ଲାଗିବ ।ସବୁ କଥାରେ ଯଦି ତାକୁ ଭୟ ଦେଖାଇବା ତେବେ ସେ ସବୁବେଳେ ଭୟ କରିବ। ନୂତନ କିଛି କରିବାର ସ୍ପୃହା ମରିଯିବ । ସେ ସୃଜନଶୀଳତାଠାରୁ ଦୂରେଇଯିବ ।କୌଣସି risky କାର୍ଯ୍ୟ କଲାବେଳେ ସେହି ଭୟାଳୁ ମନୋଭାବ ତାକୁ କାର୍ଯ୍ୟ ସମ୍ପାଦନ କରାଇ ଦେବ ନାହିଁ |

ନିର୍ଭୀକ ହଲେ ହିଁ ଜଣେ ଦୁଃସାହସିକ କାର୍ଯ୍ୟ କରିପାରିବ |

ଯେ କୌଣସି କାର୍ଯ୍ୟ କରିବାକୁ ଆଗେଇଯିବ ଏବଂ ସଫଳ ହେବ |

ତେଣୁ ଆପଣମାନେ ମୋ କଥା ଭଲ ଭାବେ ହୃଦୟଙ୍ଗମ କରିପାରିଥିବେ ବୋଲି ଆଶାକରୁଅଛି ।ଆପଣମାନେ ନିଜ ପ୍ରଶ୍ନର ଉତ୍ତର ପାଇସାରିଥିବେ ବୋଲି ଆଶା କରୁଅଛି ।

ପ୍ରଧାନ ସାରଙ୍କ ଏଭଳି ଯୁକ୍ତି ଶୁଣି ଉପସ୍ଥିତ ଶିକ୍ଷା ଅଧିକାରୀ ଭୂୟସୀ ପ୍ରଶଂସା କଲେ ।ସମସ୍ତଙ୍କ କରତାଳିରେ ସଭାସ୍ଥଳ ପ୍ରକମ୍ପିତ ହେଲା । ସମସ୍ତେ ବୁଝିପାରିଲେ ଯେ ଶିଶୁକୁମୁକ୍ତ ଭୟମୁକ୍ତ ରହିବାରେ ଦଣ୍ଡମୁକ୍ତ ବିଦ୍ୟାଳୟ ସହାୟକ ହେବ । ସମସ୍ତେ ପ୍ରଧାନ ସାରଙ୍କ ଅନୁଭୂତି ପୂର୍ଣ୍ଣ କଥାରେ ସହମତି ହେବା ସାଙ୍ଗକୁ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଗଲେ ।

ବେଙ୍ଗ କହେ ବେଙ୍ଗୁଲିଲୋ

ବେଙ୍ଗ କହେ ବେଙ୍ଗୁଲୀ ଲୋ!


ବେଙ୍ଗ କହେ ,“ବେଙ୍ଗୁଲୀ ଲୋ!
ପୃଥିବୀ କ୍ଷଣ କ୍ଷଣକେ ବଦଳିଯାଏ ||
ପୃଥିବୀର ଆବର୍ତ୍ତନରେ
ଦିନ ପରେ ନିଶିଥୀନି ଅନ୍ଧକାର ନେଇଆସିଥାଏ||
ସୂରୁଯର ଉଜ୍ଜ୍ବଳ ଆଲୋକ
ସନ୍ଧ୍ୟାଗମେ କ୍ରମେ ତା’ର ସତ୍ତା ହରାଇଥାଏ||
ଅବଗୁଣ୍ଠନବତୀ କୂଳବଧୂ
ତୁଳସୀ ଚଉରାରେ ସଞ୍ଜବତୀ ଜାଳି ଦେଇଯାଏ||
ସଞ୍ଜବତୀର କ୍ଷୀଣ ଶିଖାଟି
ସମୀରଣେ ଦୋହଲି ଦୋହଲି ଯାଏ||
ସଳିତାଟି ଜଳିଗଲାପରେ
ତା’ ଆଲୋକ ସତ୍ତା ହରାଇଥାଏ||
ମନ୍ଦିରରେ ସାନ୍ଧ୍ୟ ଆଳତି
ଗୀର୍ଜାର ଘଣ୍ଟି ଧ୍ବନି ଭାସି ଆସିଥାଏ||

ତାହାପରେ ଜହ୍ନ ଆସି ତାରାମେଳେ
ନୀଳ ଗଗନର ନୀଳିମାରେ ରୋଷଣୀ ରଚାଇଥାଏ||
ତାକୁ ଦେଖି ବିରହିଣୀ ନବବଧୂ
କର୍ମଲାଗି ଦେଶାନ୍ତରୀ ସ୍ବାମୀ କଥା ଭାବୁଥାଏ||
ଭାବୁ ଭାବୁ ବିରହିଣୀ ନିଦ ହଜିଯାଏ
ବିରହ ଜ୍ଜ୍ବାଳାରେ ତାର ହୃଦ ପ୍ରାଣ ଜଳୁଥାଏ||
ଅଜାଣତେ କୂଆଁତାରା
ପୂର୍ବାକାଶେ ଉଷା ଦେବୀ ଗଭାରେ ଶୋଭାପାଏ||
ପୂରୁବ ଦିଗବଳୟଧାରେ
ଉଷାଦେବୀ କପାଳରେ ସିନ୍ଦୂରର ଶୋଭା ଦେଖାଯାଏ||
ତାହା ଦେଖି ଆକାଶରେ
ତାରାମେଳେ ଜହ୍ନ ହସି ହସି କେଉଁସ୍ଥାନେ ଯାଇ ଲୁଚିଯାଏ||
ପ୍ରଭାତର ଆଗମନେ
ଅନ୍ଧକାର ଆଲୋକର ମଧ୍ୟେ ତା’ର ସତ୍ତା ହରାଇଥାଏ||

ରାତ୍ରୀର ସେ ନିସ୍ତବ୍ଧତା
ନିମିଷକେ ସତ୍ତା ହରାଇଥାଏ||
କୋଳାହଳେ ପୂରଇ ଧରଣୀ
ସର୍ବ ପ୍ରାଣୀ ପୁଣିଥରେ କର୍ମେ ଚଳିଯାଏ||
ପୃଥିବୀର ପରିକ୍ରମଣରେ
ଋତୁ ପରେ ଋତୁ ବଦଳିଯାଏ||
ଋତୁ ବଦଳନ୍ତେ
ପୃଥିବୀ ତା’ ବେଶ ବଦଳାଇଥାଏ||
ଗୋଟିକ ପରେ ଗୋଟିଏ
ଋତୁ ସଙ୍ଗେ ଧରଣୀ ରାସ ରଚିଯାଏ||
ଆବଶ୍ୟକତା ସରିଗଲାପରେ
ସବୁ ସମ୍ପର୍କ ନିଜ ସତ୍ତା ହରାଇଥାଏ||
ଯେଉଁ ଲୋକଟି ଦିନେ
ମୂହୁର୍ତ୍ତକ ପାଇଁ ଦୂର ହେଉନଥାଏ||
ଆବଶ୍ୟକତା ସରିଗଲା ପରେ
ସମ୍ପର୍କ ସବୁ ଛିଣ୍ଡି କାହିଁ ହଜିଯାଏ||
ବିମୁଗ୍ଧା ବିମୋହିତା
ପ୍ରେମାସିକ୍ତ ପ୍ରଗଳ୍ଭା ପ୍ରେମିକାଟିଏ||
ଆବଶ୍ୟକତା ସରିଗଲାପରେ
ପର କରି ଅନ୍ୟ ସାଥେ ବଧୂ ସାଜିଯାଏ||
ହାୟରେ ସମୟ ହାୟ!
କେତେବେଳେ କହୁ ହାୟ କେତେବେଳ ବାଏ||
ତୁ ଏମିତି ବଦଳୁ କେମିତି
ସ୍ବାର୍ଥୀ ଲୋକ ପରି ତୋ ବେଶ ବଦଳିଯାଏ ||