✍ଜଙ୍ଗଲ ସୁରକ୍ଷା✍


✍ଶୁକଦେବ ମହାନ୍ତ✍


ସଂସାରେ ମଣିଷ ବଞ୍ଚିବାର ଲାଗି
ଲୋଡା ଖାଦ୍ୟ ବସ୍ତ୍ର ବାସ
ତାହାର ସହିତ ଅତି ଦରକାରୀ
ସୁସ୍ଥ ନିଶ୍ବାସ ପ୍ରଶ୍ବାସ||
ସ୍ବାର୍ଥ ଲିପ୍ସୁ ନର ସ୍ବାର୍ଥ ସିଦ୍ଧି ଲାଗି
ଗଢେ କଳ କାରଖାନା
ଗଛଲତା କାଟି କରେ ନାରଖାର
ପରିବେଶ ଆନମନା||
ବାୟୁ ପ୍ରଦୂଷଣ ବଢି ବଢି ଚାଲେ
ଜଙ୍ଗଲର ହୁଏ ନଷ୍ଟ
ଶୁଦ୍ଧ ବାୟୁ ଟିକେ ମିଳେନି ଧରାରେ
ଶ୍ବାସକ୍ରିୟା ଅତି କଷ୍ଟ||
ବରଷା ହୁଏନି ଲୋଡାମତେ ଏଠି
ଚାଷ କ୍ରିୟା ପ୍ରଭାବିତ
ସବୁଜ କୋଠରୀ ପ୍ରଭାବ ବଢଇ
ଧରଣୀ ହୁଏ ଉତ୍ତପ୍ତ||
ମାଘମାସେ ବାଘ ଶୀତ ହେଉନାହିଁ
ଫଗୁଣରେ ସିଝେ ପିଠି
ଶ୍ରାବଣରେ ଘନ ମେଘ ଦେଖାନାହିଁ
ସବୁ ବ୍ୟତିକ୍ରମ ଏଠି||
କାରଖାନା ଗାଡି ମୋଟର ଯାନରୁ
ମଣିଷ ନିଶ୍ବାସ ବାୟୁ
ଅଙ୍ଗାର କାମ୍ଳରେ ପରିପୂର୍ଣ୍ଣ ତାହା
ସବୁଜ କୋଠରୀ ବାୟୁ||
ରବି କରେ ଯେଉଁ ଅବଲୋହିତର
ରଶ୍ମୀଗୁଚ୍ଛ ରହିଥାଏ
ଅଙ୍ଗାର କାମ୍ଳ ସ୍ବ ଧରମ ବଳରେ
ଆକଣ୍ଠ ସେ ଶୋଷିନିଏ ||
ବାୟୁ ମଣ୍ଡଳରେ ସେହି ଉତ୍ତାପକୁ
ବନ୍ଦୀ କରି ରଖିଦିଏ
ବାୟୁ ମଣ୍ଡଳର ଉତ୍ତାପ ବଢାଏ
ବିଶ୍ବ ଉଷ୍ଣାୟନ ଇଏ||
କାରଖାନା ଗାଡି ମୋଟର ଯାନରୁ
ନିର୍ଗତ ଅଙ୍ଗାର କାମ୍ଳ
ଭାଶ୍ଳେଷଣ ବେଳେ ଖାଦ୍ୟ ପ୍ରସ୍ତୁତିରେ
ଗଛ ଶୋଷେ ସେ ସକଳ||
ନୀଳ କଣ୍ଠ ସମ ଅଙ୍ଗାର କାମ୍ଳର
ବିଷ ପାନ କରେ ଗଛ
ଅମୃତର ସମ ଅମ୍ଳଜାନ ଦେଇ
ଶ୍ବାସ ବାୟୁ କରେ ସ୍ବଚ୍ଛ||
ପ୍ରଶ୍ବାସ ନିମିତ୍ତ ଅମ୍ଳଜାନ ଦିଏ
ଭାଶ୍ଳେଷଣ ପ୍ରକ୍ରିୟାରେ
ବିଶ୍ବ ଉତ୍ତାପନ ପ୍ରତିହତ କରି
ବର୍ଷା ନିୟମିତ କରେ||
ଜଳବାୟୁ ଆମ ରହେ ଅନୁକୂଳ
ଯେଉଁଠି ଜଙ୍ଗଲ ଥାଏ
ତେଣୁ ଆସ ସର୍ବେ ସଚେତନ ହୋଇ
ଲଗାଇବା ଗଛଟିଏ||
ଗଛ ବଡ ହୋଇ ଫୁଲ ଫଳ ଦେବ
ଦେବ ଛାୟା ସୁଶୀତଳ
ନୀଳ କଣ୍ଠ ସିଏ ବିଷ ପିଇ ଦେଇ
ବାୟୁ କରିବ ନିର୍ମଳ ||
ଆସ ଜଙ୍ଗଲର ସୁରକ୍ଷା କରିବା
ଆସ ଲଗାଇବା ଗଛ
ଆମ ଜଳବାୟୁ ଅକ୍ଷୂଣ୍ଣ ରହିବ
ପରିବେଶ ହେବ ସ୍ବଚ୍ଛ ||


✍ ମହେଶ୍ବର ଅନୀତା ଭିଲ୍ଲା,
ଶ୍ରୀରାମ ନଗର, ମଧୁପାଟଣା,
କଟକ -753010


ତୁମେ ଗଲା ପରେପରେ

✍ତୁମେ ଗଲା ପରେ ପରେ✍
✉✉✉✉✉✉✉✉✉

ତୁମେ ଗଲା ପରେ ପରେ ମୋର ମନବଗିଚାରେ

ଗୋଲାପ ମୁଖରୁ ହସ ଯାଇଛି ଲିଭି

ମଲ୍ଲୀ ଫୁଲର ବାସନା ରଜନୀ ଗନ୍ଧା ସୁଗନ୍ଧ

ମନ୍ଦାର ବଉଳ ଚମ୍ପା ହୃତ ସୁରଭି

ହେନା ହୋଇଛି ବାସହୀନା

ମନ ଆକାଶେ ଜହ୍ନର ନାହିଁ ଜୋଛନା ।

ସୂରୁଯମୁଖୀ ସୁଷମା ମନ ମୋହୁନାହିଁ ଜମା

ଆମ୍ବ ଗଛରେ କୋକିଳ ଗାଉନି ଗୀତ

ପ୍ରଜାପତି ଉଡୁନାହିଁ ଭ୍ରମର ଭ୍ରମେ ପଡିଛି

ମଧୁମକ୍ଷି ଗୁଣୁ ଗୁଣୁ ଗାଉନି ଗୀତ

କଇଁଫୁଲ ମୁହଁ ଲୁଚାଇ

ସକ ସକ ହୋଇ କାନ୍ଦେ ବିରହ ପାଇଁ ।

ଜିନିଆ ସୁଗନ୍ଧରାଜ ସୁଗନ୍ଧ ସୁଷମା ଆଜ

ହରାଇ ହୋଇଛି ଦୁଃଖରେ ମ୍ରିୟମାଣ

ମନ ଆକାଶରେ ମୋର ରୁସି ବସିଛି ଭାସ୍କର

ପଙ୍କଜ ସରସୀ ଜଳେ ଲଭେ କଷଣ

ପବନ ବଜାଉନି ବୀଣା

ବଉଦର ଢୋଲ ଶବ୍ଦ ଆଉ ଶୁଭେନା ।

ମନ ଆକାଶରେ ମୋର ଚାରିଆଡେ ହାହାକାର

କେଉଁଠି ଦୁଃଖେ ଲୁଚିଛି ମେଘ ମହ୍ଲାର

ଦୃଶ୍ୟ ଖାଲି ବେଦନାର ବିରହ ଦାବାନଳର

ସବୁଠାରେ ଶୂନ୍ୟସ୍ଥାନ ଦିଶେ ତୁମର

ତୁମ କଥା ଭୁଲିପାରିନି

ଶୋକରେ ବିଜୁଳୀ ରଚୁନାହିଁ ରୋଷଣୀ ।

ବ୍ୟାସକବି ଫକୀର ମୋହନ ସେନାପତି ସ୍ମରଣେ

✍ବ୍ୟାସକବି
ଫକୀର ମୋହନସେନାପତି✍
✉✉✉✉✉✉✉✉
ସମ୍ଭାବନା ଯହିଁ ସରିଆସୁଥାଏ
ତହିଁ ପୂଜ୍ୟ ବ୍ୟାସ କବି
ଗଢି ଦେଇଥିଲେ ସମ୍ଭାବନାମୟ
ଏକ ନୂତନ ପୃଥିବୀ ||

ଅନ୍ଧ ବିଶ୍ବାସର ପ୍ରହେଳିକା ଯହିଁ
କରିଥିଲା ଅଧିଷ୍ଠାନ
ଆଙ୍କି ଦେଇଥିଲେ ବିଶ୍ବାସର ଚିତ୍ର
ପୂଜ୍ୟ ଫକୀର ମୋହନ ||

ନକାରାତ୍ମକର ଭାବନା ସମୁହ
ତାଙ୍କ ଲେଖନୀ ମୁନରେ
ସକାରାତ୍ମକରେ ଚିତ୍ରିତ ହୋଇଛି
ନବ ଭାବ ସ୍ପନ୍ଦନରେ ||

ସର୍ଜନଶୀଳତା ସମ୍ରାଟ ଅଟନ୍ତି
ମଣିଷ ଭାବରେ ସିଏ
ବୁଦ୍ଧି ବିବେକର ସୁଦକ୍ଷ ବିନ୍ଧାଣୀ
ଦକ୍ଷ ସେନାପତିଟିଏ ||

ଓଡିଆଙ୍କ ପ୍ରତି କୃତଜ୍ଞଚିତ୍ତ ସେ
ସାହିତ୍ୟର ସେନାପତି

ଆତ୍ମାରେ ଯାହାର ସହୃଦୟତାର
ସମ୍ମୁଜ୍ଜ୍ବଳ ଭାବମୂର୍ତ୍ତୀ ||

ଅନେକ ସଙ୍ଘର୍ଷ ଜୀବନେ କରିସେ
ଆମ ଲାଗି ନୀଳ ଆକାଶ
ଅନେକ ଉପେକ୍ଷା ବିରୋଧ ଏଡାଇ
ରଚିଗଲେ ଇତିହାସ ||

ଅବିମୃଶ୍ୟକାରୀ ଭାବକୁ ମନରୁ
ଦୃଢ ଭାବେ ପରାହତ
କରି ଜୀବନରେ ପ୍ରତିଷ୍ଠା କରିଲେ
ଆମ ଓଡିଆ ସାହିତ୍ୟ ||

ଉନବିଂଶ ଅର୍ଦ୍ଧ ଶତାବ୍ଦୀର ସିଏ
ଓଡିଆ ଆଲୋକ ବର୍ତ୍ତିକା
ଜୀବନର ଯେତେ ଅଭାବ ବୋଧରେ
ପୂର୍ଣ୍ଣ ଅବବୋଧ ଲେଖା ||

ପଢା ବହିଠାରୁ ପତ୍ର ପତ୍ରିକାଦି
ମୁଦ୍ରା ଯନ୍ତ୍ର ପ୍ରତିଷ୍ଠାରେ
କବିତାରୁ ଗଳ୍ପ ଉପନ୍ୟାସ ଲେଖି
ଅମର ସେ ଓଡିଶାରେ ||

ମୁକ୍ତି ଓ ସ୍ବସ୍ତିର ଆନନ୍ଦ ଭରିଲେ
ତାଙ୍କ ରମ୍ୟ ସାହିତ୍ୟରେ
ଓଡିଆ ଜାତିର ଅସ୍ମିତାର ରକ୍ଷା
ପଣ ତାଙ୍କ ଜୀବନର ||

ଓଡିଶାର ଗ୍ରାମ ନଗର ଆଦିର
ଛବି ତାଙ୍କ ରଚନାରେ
ଓଡିଆଙ୍କ ଭାଷା ଓଡିଆ ଚଳଣୀ
ସଂସ୍କୃତି ଆଦିରେ ଭରେ ||

ତାଙ୍କ କାର୍ଯ୍ୟଧାରା ବହୁ ସମସ୍ୟାର
କରିଥିଲା ସମାଧାନ
ଗୁଣାତ୍ମକ ଅବା କଳାତ୍ମକ ତାଙ୍କ
ଉତ୍କର୍ଷତାର ପ୍ରମାଣ ||

ତାଙ୍କରି ଜୀବନ ଏ ଦେଶ ଜାତିର
ସର୍ବଶ୍ରେଷ୍ଠ ଇତିହାସ
ସମ୍ବେଦନାଠାରୁ ସ୍ବାଭିମାନ ଅବା
ସଂଘର୍ଷର ନନ୍ଦିଘୋଷ ||

ଅସାଧାରଣ ସେ ମହାନ ଆଦର୍ଶର
ଶାଣିତ ନିଛକ ସତ୍ୟ
କାଳଜୟୀ ଅଟେ ତାଙ୍କର ସର୍ଜନା
ତାଙ୍କ ଓଡିଆ ସାହିତ୍ୟ ||

ଆମ ଆଧୁନିକ ଓଡିଆ ସାହିତ୍ୟ
କଥା ସାହିତ୍ୟ ଜନକ
ଆମରି ଓଡିଆ ଜାତୀୟ ଜୀବନ
ଅଭ୍ୟୁତ୍ଥାନ ପ୍ରବର୍ତ୍ତକ ||

ପବିତ୍ର ମକର ସଂକ୍ରାନ୍ତି ତିଥିରେ
ମଲ୍ଲିକାଶପୁର ଗ୍ରାମେ
ଜନ୍ମ ଲଭିଥିଲେ ଫକୀର ମୋହନ
ପୁଣ୍ୟ ବାଲେଶ୍ବର ଭୂମେ ||

ଅଷ୍ଟାଦଶ ଶତ ତେୟାଳିଶ ସାଲ
ମକର ସଂକ୍ରାନ୍ତି ଠାରୁ
ଉଣେଇଶ ଶହ ଅଠର ମସିହା
ପହିଲି ରଜରେ ସରୁ
ଥିବା ସମୟର ଅବଧି ବିସ୍ତୃତ
ତାଙ୍କର ଜୀବନ କାଳ
ଅନେକ ସଂଘର୍ଷ କରିଣ ଜୀବନେ
ବାହୁଡିଲେ ଦେଖି ବେଳ||

ଲେଖନୀ ତାଙ୍କର ଚିର ପ୍ରବହନ୍ତି
ପ୍ରଗଳ୍ଭା ତଟିନୀ ପରି
ସୃଷ୍ଟି କରିଥିଲା ଗଳ୍ପ ଉପନ୍ୟାସ
ଗଦ୍ୟ ପଦ୍ୟ ଏକାପରି ||

ଲଛମନିଆଁ ଠୁ ମାମୁଁ ଓ ଲଛମା
ଛଅ ମାଣ ଆଠ ଗୁଣ୍ଠ
ପ୍ରାୟଶ୍ଚିତ ଆଦି ଉପନ୍ୟାସ ଆମ
ସାହିତ୍ୟ ମାଇଲ ଖୂଣ୍ଟ ||

ରେବତୀରୁ ନେଇ ଡାକମୁନ୍ସୀ ସାଥେ
ପେଟେଣ୍ଟ ମେଡିସିନରେ
‘ପାଠୋଇ ବୋହୂ’ ବା ‘ସୁନା ବୋହୂ’ ହେଉ
‘ରାଣ୍ଡୀ ପୁଅ ଅନନ୍ତା’ରେ ||

ଅନ୍ୟାୟ କଷଣ ଅତ୍ୟାଚାର ଅବା
ଅନ୍ଧ ବିଶ୍ବାସ ବିରୁଦ୍ଧେ
ଅତ୍ୟନ୍ତ ଶାଣିତ ଲେଖନୀ ତାଙ୍କର
ସମାଜ ସଂସ୍କାର ଯୁଦ୍ଧେ ||

ଆତ୍ମ ଜୀବନୀର ପ୍ରଥମ ପୁସ୍ତକ
‘ ଆତ୍ମ ଜୀବନ ଚରିତ’
ଓଡିଆ ସାହିତ୍ୟ ଆକାଶରୁ କେବେ
ହେବନାହିଁ ଅନ୍ତର୍ହିତ ||

ଉତ୍କଳ ପ୍ରଦେଶେ ନାରୀ ଶିକ୍ଷା ପ୍ରତି
ନକାରାତ୍ମକର ଭାବ

ରେବତୀ ଗଳ୍ପରେ ଆଙ୍କି ଦେଇଛନ୍ତି
ଦୁର୍ଭିକ୍ଷର ପରାଭବ ||

ରେବତୀ ମନରେ ପାଠ ପଢିବାର
ଆଗ୍ରହ ପରିପ୍ରକାଶ

ଭରି ଦେଇଛନ୍ତି ନାରୀ ଶିକ୍ଷା ପ୍ରତି
ସେ ଆଗ୍ରହର ଉନ୍ମେଶ ||

ଦେୱାନ ଭାବରେ ଭୂୟାଁ ମେଳି ମଧ୍ୟେ
ରାଜବାଟିକୁ ବଞ୍ଚାଇ
ପ୍ରଚଣ୍ଡ ଧୀଶକ୍ତି ଦେଖାଇଛନ୍ତି ସେ
କେନ୍ଦୁଝରେ ବନ୍ଦୀ ଥାଇ ||

ଉନବିଂଶ ତମ ଶତାବ୍ଦୀର ଅଧା
ତାଙ୍କ ଲେଖନୀ ନିଃସୃତ
ସାହିତ୍ୟ ସମୃଦ୍ଧ କରି ଯାଇଛନ୍ତି
ଗଳ୍ପ ଉପନ୍ୟାସାମୃତ ||

ତୁମ ତିରୋଧାନ ଦିବସରେ ଆଜି
ପହିଲି ରଜାବସରେ
କୋଟି କୋଟି ବାର ପ୍ରଣାମ କରୁଛି
ଆଶିର୍ବାଦ କର ବାରେ ||

ଏ ଜାତି ଅସ୍ମିତା ସ୍ବାଭିମାନ ନେଇ
ଚିରକାଳ ବଞ୍ଚିଥାଉ
ଚରାଚର ବିଶ୍ବେ ସବୁ ସରିଯାଉ
ଜାତି ମୋର ଠିଆ ହେଉ ||