✍କୃତିତ୍ବ✍
କୃତିତ୍ବ ହାସଲ କରିବାରେ ମନ
କାହର ନଥାଏ କୁହ
କୃତିତ୍ବ ହାସଲ କିଏ କରିପାରେ
କିଏ ପାରେନାହିଁ କୁହ ||
ମନ କଲେ ସବୁ ମିଳିଥାଏ କି ରେ
କେ କହିପାରିବ କୁହ
ଆଶା ସମୁଚ୍ଚୟ ଘୋଡା ହୋଇଥିଲେ
କିଏ ନ ଚଢନ୍ତା କୁହ||
ସଫଳତା ଲାଭ କିଏ କରିପାରେ
କିଏ ହୁଏ ଅସଫଳ
ସଫଳ ହେବାର ରହସ୍ୟ ନ ବୁଝି
ହେଉଥାଏ ଅସଫଳ||
ସଫଳତା ଲଭି କୃତିତ୍ବ ହାସଲ
ରହସ୍ୟ ବୁଝିବା ଆସ
ଜୀବନ ଯୁଦ୍ଧରେ ବିଜୟୀ ହୋଇବା
ବୁଝି ସଫଳ ରହସ୍ୟ ||
ମଣିଷର ମନ ଧାଏଁ ଅତିବେଗେ
ଆଲୋକ ତରଙ୍ଗେ ବଳି
କ୍ଷଣିକେ ଭାବଇ ଶିଳା ସ୍ରୋତ କଥା
କ୍ଷଣେ କୃଷ୍ଣ ଗର୍ତ୍ତେ ଚଳି ||
ସେଇ ଭାବନାକୁ ସଚେତନ ମନ
ଭାବୁ ଭାବୁ ଆଶା ଜାଗେ
ଇଚ୍ଛା ଜାଗେ ମନେ ପାଇବାକୁ କିଛି
ଭାବିବାକୁ ଭଲ ଲାଗେ ||
ପାଇବାର ଇଚ୍ଛା ମନେ ଭାବନାରେ
ଯେବେ ଆସେ ଘନ ଘନ
ଆରମ୍ଭ ହୁଅଇ ମଣିଷ ଜୀବନେ
ଦେଖିବା ସୁନେଲି ସ୍ବପ୍ନ ||
ଇଚ୍ଛାସବୁ କ୍ରମେ ସପନରେ ଆସି
ନିଦକୁ ଚୋରାଇ ନିଏ
ସେଇ ସପନକୁ ରାତି ଛୋଟହୁଏ
ସପନ ଅଧୂରା ରହେ ||
ଇଚ୍ଛାରୁ ସପନ ସପନରୁ ଲକ୍ଷ୍ୟ
ସ୍ଥିର ହେଲେ ନର ମନେ
ସେହି ଲକ୍ଷ୍ୟ କେହ୍ନେ ହାସଲ ହୋଇ
ଭାବେ ସିଏ ପ୍ରତି କ୍ଷଣେ ||
ଲକ୍ଷ୍ୟ ହାସଲର ସପନ ଆସଇ
ଶୟନେ ବା ଜାଗରଣେ
ସେଇ ସପନକୁ ସାକାର କରିବା
ଚିନ୍ତା ଜାଗେ ପ୍ରତି କ୍ଷଣେ ||
ଲକ୍ଷ୍ୟ ହାସଲର ସ୍ବପ୍ନ ଦେଖିବାକୁ
ଦିନ ରାତିଛୋଟ ହୁଏ
ସେଇ ସପନରୁ ଲକ୍ଷ୍ୟ ହାସଲର
ଝାପ୍ସା ପଥ ଦେଖାଦିଏ ||
କେଉଁ ପଥ ଦେଇ କିପରି ଯିବାକୁ
ହୋଇବ ଯୋଜନା କରି
ଯୋଜନାନୁସାରେ ସୋପାନର ପରେ
ସୋପାନ ଚଢିଲେ ପାରି
ଯୋଜନାବଦ୍ଧ ସେ କ୍ରିୟା କଳାପର
ଠିକ୍ ପଥ ଅନୁସରି
ସଫଳତା ଲାଭ ଦିଗେ ଅଗ୍ରସର
ହୁଏ ନର ଥିରିଥିରି ||
ଲକ୍ଷ୍ୟ ହାସଲର କ୍ରିୟା କଳାପରେ
ଯେତେ ବାଧାବିଘ୍ନ ଆସୁ
ଯେତେ ପ୍ରତିକ୍ରିୟା ଯେତେ ପ୍ରତିବାଦ
ଯେତେ ନିନ୍ଦାଗାଳି ଦିଶୁ ||
ଦୁଃଖ ଅବଶୋଷ ପଛରେ ପକାଇ
ସ୍ଥିତପ୍ରଜ୍ଞ ଭାବ ମନେ
ଦୃଢ ପ୍ରତିଜ୍ଞ ଓ ଆତ୍ମ ବିଶ୍ବାସର
ଅଭାବ ନ ରହୁ ମନେ ||
ଯେତେ ଝଡଝଞ୍ଜା ଆସିଲେ ଜୀବନେ
ଯିବନାହିଁ କେବେ ଡରି
ଦୃଢ ମନୋରଥେ ସଂକଳ୍ପେ ଅଟଳ
ଅଚଳ ଯେସନ ଗିରି ||
ଦୃଢ ମନୋବଳ ଆତ୍ମ ବିଶ୍ବାସରେ
ଯୋଜନାନୁସାରେ କାର୍ଯ୍ୟ
ପ୍ରବଳ ଇଚ୍ଛାରେ ସପନ ଦେଖିବ
ସ୍ଥିରୀକୃତ ଲକ୍ଷ୍ୟ ଧାର୍ଯ୍ୟ ||
କଠିନ ଶ୍ରମର ଗୁରୁତ୍ବକୁ କେବେ
ଯିବନାହିଁ ତୁମେ ଭୁଲି
ଅଧ୍ୟବସାୟ ହିଁ ସଫଳତା ବାକ୍ସ
ତାଲାକୁ ପାରିବ ଖୋଲିି ||
କଠିନ ଶ୍ରମ ଓ ଅଧ୍ୟବସାୟ ତ
କେବେ ବ୍ୟର୍ଥ ହୁଏ ନାହିଁ
ମହତ କର୍ମର ଉପହାର ସଦା
ରହଥାଏ ଥୁଆ ହୋଇ ||
କେବଳ ଇଚ୍ଚ୍ଥା ବା କେବଳ ଯୋଜନା
କଲେ କିଛି ଲାଭ ନାହିଁ
ସଫଳତା ଲାଭ ସ୍ବପ୍ନରେ ରହିବ
କୃତିତ୍ବ ମିଳିବ ନାହିଁ ||
ଦିନ ରାତି ଏକ କରି ସ୍ବପ୍ନ ଦେଖ
ଦୃଢ ମନୋବଳ ନେଇ
ଆତ୍ମ ବିଶ୍ବାସରେ ସଂକଳ୍ପେ ଅଟଳ
ରହି କର୍ମ କର ଭାଇ ||
ଲକ୍ଷ୍ୟ ହାସଲର ଯୋଜନା କରିଣ
ତା ମତେ ଯାଅ ଆଗେଇ
ସବୁକାର୍ଯ୍ୟ କଲେ ଯୋଜନାନୁସାରେ
ସଫଳ ହୋଇବ ଭାଇ ||
ଲଭିବ କୃତିତ୍ବ ସମ୍ମାନ ମର୍ଯ୍ୟାଦା
ସର୍ବ କାର୍ଯ୍ୟେ ସିଦ୍ଧି ପାଇ
ତୁମେ ସଫଳତା ଶିଖର ଛୂଇଁବ
ଲକ୍ଷ୍ୟର ହାସଲ ହୋଇ ||