✍ସୁଖଶାନ୍ତିର ସନ୍ଧାନ✍
✉✉✉✉✉✉✉✉
ସଂସାର ସାଗର ଜଳ ସଦା ଚଳଦଳ
ଖେଳୁଥାଏ ଯହିଁ ସୁଖ ଦୁଃଖର ହିଲ୍ଲୋଳ
ଜୀବନ ସଂଗ୍ରାମେ ନିତି ଯୁଝି ଯୁଝି ମୁହିଁ
ସକାଳର ରବି ଦେଖି ଉଠିଧାଏଁ ମୁହିଁ
ଧାଇଁ ଧାଇଁ ଦିନ ସାରା ସୁଖ ଖୋଜେ ମୁହିଁ
ଖୋଜୁ ଖୋଜୁ ଦିନ ସରେ ସଞ୍ଜ ଆସେ ନଇଁ
ଯେତେ ସୁଖ ଖୋଜିଲେବି ସୁଖ ମିଳେନାହିଁ
ଶାନ୍ତି ପଛେ ଗୋଡାଇଲେ ଶାନ୍ତି ମିଳେ କାହିଁ?
ସଂଜ ଆସେ ନଇଁ କ୍ରମେ ଦିନ ଯାଏ ସରି
ମନ ସାଗରରେ ଖେଳେ ଦୁଃଖର ଲହରୀ
ମନସାଗର ଜଳରେ ଦୁଃଖର ଟେକାଟେ
ତରଙ୍ଗ ରଚନା କରେ ପକାଇ ସଙ୍କଟେ
ଦୁଃଖର ଜୁଆର ଉଠେ ପଡଇ ସୁଖର ଭଟ୍ଟା
ଦୁଃଖରେ ଅଧିର ହୁଏ ବିଚରା ମନଟା
ଝଡ ତୋଫାନରେ ଯେହ୍ନେ ସାଗରେ ଜାହାଜ
ଭାସିବାଟା ସେତେବେଳେ ନୁହଇ ସହଜ
ଜୁଆରିଆ ମନ ବକ୍ଷେ ଦୁଃଖର ଲହରୀ
ଭୀତତ୍ରସ୍ତ ହୋଇଯାଏ ସୁଖର ନାଉରୀ
ସୁଖ ଖୋଜି ଖୋଜି ମୁହିଁ ସୁଖ ପାଏ ନାହିଁ
ଶାନ୍ତି ଖୋଜି ଖୋଜି ଶାନ୍ତି ପାଏ ନାହିଁ ମୁହିଁ
ସୁଖଶାନ୍ତି ସନ୍ଧାନରେ ସାଗର ବେଳାକୁ
ଯାଇ ପଚାରିଲି ମୁହିଁ ଠିକଣା ତାହାକୁ
ବେଳାଭୂମି ଶାନ୍ତକାନ୍ତ ଅତୀବ ରୂପସୀ
ତା ରୂପ ଲାବଣ୍ୟେ ସୂର୍ଯ୍ୟ ଚନ୍ଦ୍ର ଯା’ନ୍ତି ଫସି
ହାତ ଠାରି ଦେଖାଇଲା ସାଗର ଜଳକୁ
ତାର ନୀଳ ଜଳରାଶି ଉତ୍ତାଳ ଢେଉକୁ
ସାଗର ଗର୍ଭରେ ଅଛି ନାନା ମୋତି ମୁକ୍ତା
ତଥାପି ପ୍ରଗଳ୍ଭେ ସଦା ପିଟୁଅଛି ମଥା
କିଏ ଜାଣେ କି ଦୁଃସହ ଆବେଗ ତା ମନେ
ଜାଳୁଅଛି ତିଳ ତିଳ କରି ପ୍ରତି କ୍ଷଣେ
ସୁଖର ସପନ ଯେତେ ଦେଖୁଅଛି ମନେ
ସୁଖ ଶାନ୍ତି ମିଳୁନାହିଁ କେବେ ବି ତା ମନେ
ତେଣୁ ଜାଣିରଖ ତୁମେ ସୁଖ ସ୍ବପ୍ନ ଦେଖି
ପାଇବନି କେବେ ତୁମେ ସୁଖ ସ୍ବାଦ ଚାଖି
ଆଙ୍ଗୁଳି ବଢାଇ କହେ ଦେଖ ସେ ଆକାଶ
ଶୂନ୍ୟ ଶୂନ୍ୟ ମହାଶୂନ୍ୟ ନୀଳିମା ପ୍ରକାଶ
ନିରବତା ପ୍ରତିଭାତ ବିମଳ ପ୍ରଶାନ୍ତି
ସୁଖ ପଛେ ଧାଏଁ ନାହିଁ ମିଳେ ତାକୁ ଶାନ୍ତି
ଯିଏ ସୁଖ ଖୋଜେ ତାକୁ ସୁଖ ମିଳେ ନାହିଁ
ଯିଏ ଖୋଜେନାହିଁ ସୁଖ ତାହାକୁ ମିଳଇ
କାୟ ମନ ବାକ୍ୟେ ନିଜ କର୍ମ କରିଚାଲ
ଫଳ ମିଳିବାର ସ୍ବପ୍ନ ଯଦି ନ ଦେଖିଲ
ସୁଖ ଶାନ୍ତି ମିଳିବାଟା ଥୟ ବୋଲି ଜାଣ
କର୍ମ ଜାଣି ମିଳିଯିବ ଭବ୍ୟ ଫଳମାନ
କର୍ମର ଉପରେ ଏକା ତୁମ ଅଧିକାର
କାୟ ମନ ବାକ୍ୟେ ତୁମ କର୍ମମାନ କର
ବିଧି ହସ୍ତେ ଛାଡି ଦିଅ ଫଳର ଦାୟିତ୍ବ
ମିଳି ଯିବ ଯୋଗ୍ୟ ଫଳ ସୁଖର ସ୍ଥାୟିତ୍ବ
ମରୀଚିକା ପରି ଭ୍ରମାତ୍ମକ କ୍ଷଣ ସ୍ଥାୟୀ
ଦରବ ସମ୍ଭୂତ ଖୁସି ଅଟେ ଜାଣ ଭାଇ
ରାସ୍ତା କଡେ ରାତ୍ରେ ଦେଖ ଗରିବ ଭିକାରୀ
ପ୍ରଶାନ୍ତିରେ ନିଦ୍ରା ଯାଇପାରଇ କିପରି
ଧନଶାଳୀ ଶୀଳ୍ପପତି କୋଟି ମୁଦ୍ରା ଥାଇ
ସୁଖେ ତିଳେହେଲେ କେବେ ଶୋଇ ନ ପାରଇ
କାଳେ ଅନ୍ୟ କେହି ତାକୁ ଟପି ଯିବ ବୋଲି
ଅବଚେତନ ମନରେ ସଦା ଖେଳେ ଦୋଳି
ସୁଖ ସିନ୍ଦୁକର ଚାବି ପର ହସ୍ତେ ଦେଇ
ସୁଖ ଶାନ୍ତି ସୁଖ ନିଦ୍ରା ଦିଅନ୍ତି ହଜାଇ
ଧନୀ ଚାହୁଁଅଛି ତାକୁ ମିଳୁ ବେଶି ଧନ
ଧନର ଅଭାବବୋଧ ଦହଇ ତା ପ୍ରାଣ
ସୀମିତ ସମ୍ବଳେ ତୁମେ ସୁଖେ ଚଳି ପାର
ତାକୁ କିନ୍ତୁ ମନ ତୁମ କରେନି ମଞ୍ଜୁର
କଳ୍ପିତ ଅଭାବବୋଧ ହୋଇଛି ସବାର
ସେ ଅଭାବବୋଧ ଅଟେସୁଖ ଶାନ୍ତି ଚୋର
ମାଟିର ଶରୀର ଦିନେ ମାଟିରେ ମିଶିବ
ଧନ ସାଥି ପରିଜନ ସାଥେ କେ ନ ଯିବ
ଛଅ ଖଣ୍ଡ କାଠ ଲୋଡା ଶେଷେ ତୁମପାଇଁ
ଜୀବନର ଅସାରତା ମହାର୍ଘ୍ୟ ବୁଝାଇ
ଆଲେକଜାଣ୍ଡର ମହାବୀର ସମ୍ରାଟ ଅଶୋକ
ଅଧିକ ଜିତିବା ଦେଇ ପାରି ନାହିଁ ସୁଖ
ଅଧା ଲଙ୍ଗଳା ଫକୀର ଗାନ୍ଧିଜୀଙ୍କୁ କହି
କର୍ମପଥୁ କେହି ହେଲେ ପାରିନି ହଟାଇ
ହୀନମନ୍ୟତା ମନକୁ ପାରିନାହିଁ ଛୂଇଁ
ସତ୍ୟ ଅହିଂସା ପଥରେ ଅବିଚ୍ୟୁତ ରହି
ବିନା ଖଡ୍ଗ ବିନା ଢାଲେ ସ୍ବାଧୀନତା ଆଣି
ସାରା ବିଶ୍ବେ ବାଣ୍ଟିଦେଲେ ଅହିଂସାର ବାଣୀ
ଜାଗତିକ ଅଭାବବୋଧର ବଦଳରେ
ଦିବ୍ୟ ଅସନ୍ତୋଷ ଭାବ ଆଣିଣ ମନରେ
ବସୁଧୈବ କୁଟୁମ୍ବକମ୍ ଏ ଆଦର୍ଶରେ
ଦୀକ୍ଷିତ କଲେ ବିଶ୍ବ ଶାନ୍ତି ମୈତ୍ରୀ ଦୀକ୍ଷାରେ
“ସଙ୍ଗଚ୍ଛଧ୍ବଂ ସମ୍ବଦଧ୍ବଂ ସଂ ବୋ ମନାଂସୀ
ଜାନତାମ୍” ବେଦ ବାଣୀ ମୂଲ୍ୟ ରଖେ ବେଶି
ସୁଖ ଅନୁଭବ ଲକ୍ଷ୍ୟ ମନରେ ନ ରଖ
ପରିବାର ସମାଜ ବିଶ୍ବେ ସନ୍ତୁଳନ ରଖ
ଜାଗତିକ ବସ୍ତୁ ଚିର ସନ୍ତୋଷ ପ୍ରଦାନ
କରି ପାରେ ନାହିଁ ଏହା ସତ୍ୟ ବୋଲି ଜାଣ
ଖୁସି ଏକ ଆପେକ୍ଷିକ ମନର ଅବସ୍ଥା
ସୁଖ ଏକ ମାନସିକ ଅନୁଭବ ଗାଥା
ହିଂସା ଦ୍ବେଷ ଇର୍ଷାପଣ ଅବା ଅସହିଷ୍ଣୁତା
ବିବର୍ଜିତ ଅର୍ଥପୂର୍ଣ୍ଣ ଜୀବନ ସଂହିତା
ପ୍ରୟୋଜନ ଅଛି ଜୀବନେ ତୁମର ଏକା
ବର୍ଜନ କର ମନୁ ଇର୍ଷା ଅସହିଷ୍ଣୁତା
ଏହା ତ ଅଟଇ ସାର୍ଥକ ଜୀବନ ତନ୍ତ୍ର
ସୁଖ ସିନ୍ଦୁକର ଚାବିକାଠି ମହାମନ୍ତ୍ର
✍ଶୁକଦେବ ମହାନ୍ତ✍