ଆଖିରେ ଭରିଛି ଆଖିଏ ସପନ
ଇସାରା ଦେଉଛି କହି
ପ୍ରଥମ ଦେଖାର ପ୍ରଥମ ପ୍ରେମର
ସମସ୍ତ ପ୍ରମାଣ ଦେଇ ।।
ଛାତି ଅଣଦେଖା କରଇ ରାତିକୁ
ଛୁଇଁବାକୁ ମନା କରି
କହିବା କଥାକୁ କୁହେଇ ଦିଏନି
ଦୂରେଇ ରହୁଛି ଡରି ।।
ଆଶା ମରିଯାଏ ଆତ୍ମ ହତ୍ୟା କରି
ଭାବନା କାନ୍ଧାଏ ଶବ
ହାଟର ସଉଦା ବାଟରେ ହଜଇ
ଚୋରୀ ହୋଇଯାଏ ନିଦ ।।
ରାହା ଖୋଜୁ ଖୋଜୁ ସାହା ହଜିଯାଏ
ସମୟ ରହଇ ଏକା
ନିଶ୍ବାସ ଚାଲଇ ବିଶ୍ଵାସକୁ ନେଇ
ଆଗରେ ଲକ୍ଷ୍ମଣ ରେଖା ।।
ବାଏ ଶୁଭୁଥାଏ ହାଏ ଲୁଚିଯାଏ
ଧୀରେ ଧୀରେ ପବନରେ
ଲକ୍ଷ୍ମଣ ରେଖା ମୋ ଦୁଃଖ ହେଇଯାଏ
ଡେଇଁ ହୋଇଯିବା ଡରେ ||
