ବେଙ୍ଗ କହେ ବେଙ୍ଗୁଲୀ ଲୋ!
ବେଙ୍ଗ କହେ ,“ବେଙ୍ଗୁଲୀ ଲୋ!
ପୃଥିବୀ କ୍ଷଣ କ୍ଷଣକେ ବଦଳିଯାଏ ||
ପୃଥିବୀର ଆବର୍ତ୍ତନରେ
ଦିନ ପରେ ନିଶିଥୀନି ଅନ୍ଧକାର ନେଇଆସିଥାଏ||
ସୂରୁଯର ଉଜ୍ଜ୍ବଳ ଆଲୋକ
ସନ୍ଧ୍ୟାଗମେ କ୍ରମେ ତା’ର ସତ୍ତା ହରାଇଥାଏ||
ଅବଗୁଣ୍ଠନବତୀ କୂଳବଧୂ
ତୁଳସୀ ଚଉରାରେ ସଞ୍ଜବତୀ ଜାଳି ଦେଇଯାଏ||
ସଞ୍ଜବତୀର କ୍ଷୀଣ ଶିଖାଟି
ସମୀରଣେ ଦୋହଲି ଦୋହଲି ଯାଏ||
ସଳିତାଟି ଜଳିଗଲାପରେ
ତା’ ଆଲୋକ ସତ୍ତା ହରାଇଥାଏ||
ମନ୍ଦିରରେ ସାନ୍ଧ୍ୟ ଆଳତି
ଗୀର୍ଜାର ଘଣ୍ଟି ଧ୍ବନି ଭାସି ଆସିଥାଏ||
ତାହାପରେ ଜହ୍ନ ଆସି ତାରାମେଳେ
ନୀଳ ଗଗନର ନୀଳିମାରେ ରୋଷଣୀ ରଚାଇଥାଏ||
ତାକୁ ଦେଖି ବିରହିଣୀ ନବବଧୂ
କର୍ମଲାଗି ଦେଶାନ୍ତରୀ ସ୍ବାମୀ କଥା ଭାବୁଥାଏ||
ଭାବୁ ଭାବୁ ବିରହିଣୀ ନିଦ ହଜିଯାଏ
ବିରହ ଜ୍ଜ୍ବାଳାରେ ତାର ହୃଦ ପ୍ରାଣ ଜଳୁଥାଏ||
ଅଜାଣତେ କୂଆଁତାରା
ପୂର୍ବାକାଶେ ଉଷା ଦେବୀ ଗଭାରେ ଶୋଭାପାଏ||
ପୂରୁବ ଦିଗବଳୟଧାରେ
ଉଷାଦେବୀ କପାଳରେ ସିନ୍ଦୂରର ଶୋଭା ଦେଖାଯାଏ||
ତାହା ଦେଖି ଆକାଶରେ
ତାରାମେଳେ ଜହ୍ନ ହସି ହସି କେଉଁସ୍ଥାନେ ଯାଇ ଲୁଚିଯାଏ||
ପ୍ରଭାତର ଆଗମନେ
ଅନ୍ଧକାର ଆଲୋକର ମଧ୍ୟେ ତା’ର ସତ୍ତା ହରାଇଥାଏ||
ରାତ୍ରୀର ସେ ନିସ୍ତବ୍ଧତା
ନିମିଷକେ ସତ୍ତା ହରାଇଥାଏ||
କୋଳାହଳେ ପୂରଇ ଧରଣୀ
ସର୍ବ ପ୍ରାଣୀ ପୁଣିଥରେ କର୍ମେ ଚଳିଯାଏ||
ପୃଥିବୀର ପରିକ୍ରମଣରେ
ଋତୁ ପରେ ଋତୁ ବଦଳିଯାଏ||
ଋତୁ ବଦଳନ୍ତେ
ପୃଥିବୀ ତା’ ବେଶ ବଦଳାଇଥାଏ||
ଗୋଟିକ ପରେ ଗୋଟିଏ
ଋତୁ ସଙ୍ଗେ ଧରଣୀ ରାସ ରଚିଯାଏ||
ଆବଶ୍ୟକତା ସରିଗଲାପରେ
ସବୁ ସମ୍ପର୍କ ନିଜ ସତ୍ତା ହରାଇଥାଏ||
ଯେଉଁ ଲୋକଟି ଦିନେ
ମୂହୁର୍ତ୍ତକ ପାଇଁ ଦୂର ହେଉନଥାଏ||
ଆବଶ୍ୟକତା ସରିଗଲା ପରେ
ସମ୍ପର୍କ ସବୁ ଛିଣ୍ଡି କାହିଁ ହଜିଯାଏ||
ବିମୁଗ୍ଧା ବିମୋହିତା
ପ୍ରେମାସିକ୍ତ ପ୍ରଗଳ୍ଭା ପ୍ରେମିକାଟିଏ||
ଆବଶ୍ୟକତା ସରିଗଲାପରେ
ପର କରି ଅନ୍ୟ ସାଥେ ବଧୂ ସାଜିଯାଏ||
ହାୟରେ ସମୟ ହାୟ!
କେତେବେଳେ କହୁ ହାୟ କେତେବେଳ ବାଏ||
ତୁ ଏମିତି ବଦଳୁ କେମିତି
ସ୍ବାର୍ଥୀ ଲୋକ ପରି ତୋ ବେଶ ବଦଳିଯାଏ ||
