✍ଜୀବେଦୟା✍
ମାଟିରୁ ଆକାଶ ପାଣିରୁ ପବନ ପଞ୍ଚମହାଭୁତେ ଗଢା
କ୍ଷିତି ଅପ ତେଜ ମରୁତ ବ୍ୟୋମର ସର୍ବପ୍ରାଣୀ ଦେହ ଗଢା ||
କୋଟି କୋଟି ଜୀବେ ସମୃଦ୍ଧପୃଥିବୀ ବହି ଜୈବ ବିବିଧତା
ନିଷ୍ଠୁର ମାନବ କ୍ରୁରତା କାରଣେ
ବିପନ୍ନ ସେ ବିବିଧତା ||
କୋଟି କୋଟି ପ୍ରାଣୀ ଜୀବନ ଯାଉଛି
ମାନବ କୁରତା ବଳେ
ଆତ୍ମ ତୃପ୍ତି ଲାଗି ଜୀବହତ୍ୟା କରେ
ମାନବ ଏ ମହୀ ତଳେ ||
ସକଳ ଜୀବନ ଈଶ୍ବରଙ୍କ ସୃଷ୍ଟି
ସକଳର ଅଧିକାର
ଏ ଧରା ଧାମରେ ସ୍ବଚ୍ଛନ୍ଦ ଭାବରେ
ନିର୍ବିଘ୍ନରେ ବଞ୍ଚିବାର ||
ଏ ମୂକ ମାନବ ନିଜ ସ୍ବାର୍ଥେ ଅନ୍ଧ
ହୋଇ କରେ ଜୀବହତ୍ୟା
ଅପର ପ୍ରାଣୀକୁ କଷଣ ଦେଇଣ
ଲିଭାଏ ଜୀବନ ସତ୍ତା ||
ହେ ମଣିଷ ତୁମେ ଏଡେ ନିରିଦୟ
ହୃଦ ତୁମ କି ପାଷାଣ ?
ହତ୍ୟା କରି ଦେଖ ହତ ଜୀବଟିର
କେତେ ବିକଳ କ୍ରନ୍ଦନ!
ଭାବି ଦେଖ ଥରେ ତୁମରି ଶରୀରେ
ଆଘାତ ଜନିତ କଷ୍ଟ
କଷ୍ଟ ଲାଗୁଅଛି ତୁମକୁ ଯେପରି
ତାକୁ ଲାଗୁଥୁବ କଷ୍ଟ ||
ଗଞ୍ଜା ବିଚରାର ପାଦେ କାତି ବାନ୍ଧି
ଲଢେଇ କରାଅ ତାକୁ
ତାହାର ଦେହରୁ ରକତ ଝରାଇ
ଏତେ କଷ୍ଟ ଦିଅ ତାକୁ!!
ନିଜର ପାଟିର ଲାଳସାରେ ତୁମେ ମାରି ତାର ମାଂସ ଖାଅ
ହିଂସ୍ର ବ୍ୟାଘ୍ର ଯଦି ତୁମକୁ ଖାଇବ
କେତେ କଷ୍ଟ ତୁମ୍ଭେ ହେବ ||
ହତ ଜୀବଟିର କଷ୍ଟକୁ ଥରଟେ
ବୁଝିବାକୁ ଚେଷ୍ଟାକର
ତୁମପରି ତାକୁ କଷ୍ଟ ହେଉଥିବ
ହୃଦୟଙ୍ଗମ ତ କର!!
ଜୀବେ ଦୟା ଭାବ ମନରେ ଆଣହେ
କ୍ରୁରତାକୁ ପରିହର
ପରିହାର କର ବନରେ ମୃଗୟା
ପଶୁପକ୍ଷୀଙ୍କ ଶିକାର ||
ଜିବେଦୟା ଭାବ ମନରେ ଆଣିଣ
ଶାକାହାରୀ ହେବା ଶିଖ
ସ୍ବଚ୍ଛନ୍ଦେ ନିର୍ଭୟେ ବିଚରଣେ ଛାଡି
ସର୍ବଜୀବ ଖୁସୀ ଦେଖ ||
ହେ ମଣିଷ ତୁମେ ପ୍ରଭୁଙ୍କ ସୃଷ୍ଟିରେ
ଅଟ ସର୍ବଶ୍ରେଷ୍ଠ ପ୍ରାଣୀ
ଶ୍ରେଷ୍ଠତ୍ୱ ତୁମର ପ୍ରମାଣିତ କର
ଜୀବେ ଦୟା ଭାବ ଆଣି ||
ସକଳ ଜୀବର ଜନନୀ କି କେବେ
କରେ ସନ୍ତାନେ ଆହାର?
ପଶୁପକ୍ଷୀ ବଳି କରି ପରିହାର
ଫଳମୂଳ ଭୋଗକର ||
ଭକ୍ତି ନିଷ୍ଠାପର ସାଧନା ବଳରେ
ଦୟା କ୍ଷମା ଭାବ ଧର
ସକଳ ସୃଷ୍ଟିରେ ଦୈବ ଉପସ୍ଥିତି
ହୃଦେ ଅନୁଭବ କର ||
ସକଳ ଜୀବର ଏକତ୍ବ ଭାବକୁ
ବାରେ ଅନୁଭବ କର
ନିରୀହ ଜୀବର ଅଧିକାର କଥା
ମନେରଖ ନିରନ୍ତର ||
