ଚାଲୁ ଚାଲୁ ଜୀବନ ପଥରେ
ସଉଦା କରୁ କରୁ ସଂସାର ହାଟରେ
ମଣିଷ ବି ହଜିଯାଇପାରେ ;
ପ୍ରିୟଜନ ତାର ଅନ୍ବେଷଣରେ
ସଂସାରର ଜନସମୁଦ୍ରରେ
ଖୋଜୁ ଥିଲେ ଧୈର୍ଯ୍ୟ ସହକାରେ
ତାକୁ ହୁଏତ ପାଇଯାଇପାରେ ;
ଜୀବନର ଚଲାପଥରେ
ଚାଲୁ ଚାଲୁ ସଭିଙ୍କ ସାଥିରେ
ବିଶ୍ବାସରେ ବିଷ ମିଶିପାରେ ;
ଚାଲୁ ଚାଲୁ ସ୍ବାର୍ଥର ଜନପଥରେ
ଥରେ ନୁହଁ ବହୁ ସମୟରେ
ମଣିଷ ବିଶ୍ବାସ ହରାଇପାରେ ;
ସେ ବିଶ୍ବାସ ହଜିଗଲାପରେ
ଖୋଜିଲେ ବି ଯେତେ ସଯତ୍ନରେ
ମିଳେନାହିଁ ଆଉ କେବେ ଜୀବନରେ ||
ଗଛଟିଏ ହତ ହେଲାପରେ
ଗଛଟିଏ ହୋଇ ଉଭା ହୋଇପାରେ
କେତୋଟି ବର୍ଷର ପ୍ରଚେଷ୍ଟାରେ ;
ମନରୁ ବିଶ୍ବାସ ହତ ହେଲାପରେ ଥରେ
ଶତ ଶତ ଶତ ପ୍ରଚେଷ୍ଟାରେ
ଫେରେନାହିଁ ପୁଣି ଆଉ ଥରେ ||

