ସ୍ବାଧୀନତା ଦିବସରେ ମୋର ନିବେଦନ

ହେ ମୋର ପ୍ରିୟ ଭାରତୀୟ! ଦେଶ ହିତରେ ମନଦିଅ ||

ଅଳସ ପଣ ମନୁ ତେଜ ସକଳେ କର୍ମବୀର ସାଜ ||

ଅଳସ ଅସାଧ୍ୟ ଯେ ମଣେ କର୍ମ ଭୀରୁ ସେ ଅଟେ ଜଣେ ||

ଅଳସ ପଣ ପରିହର ହୁଅ ହେ ସର୍ବେ କର୍ମବୀର ||

ରଖିଣ ଅଦମ୍ୟ ସାହସ ଅଳସ ପଣ କର ବଶ ||

ଲୋଡିବା ଦେଶର କଲ୍ୟାଣ କରିବା ଦେଶର କଲ୍ୟାଣ ||

ଦେଶର ସୁରକ୍ଷା ନିମିତ୍ତ ହୋଇବା ସର୍ବେ ଏକଚିତ୍ତ ||

ଦେଶମାତୃକାର କଲ୍ୟାଣ ମଣିବା ଜୀବନକୁ ତୃଣ ||

ଦେଶର ହିତେ ନିଜ ହିତ ମଣିବା ହୋଇ ଏକଚିତ୍ତ ||

ଉଦ୍ୟୋଗ ଗଢି ଦେଶ ଲାଗି ହୋଇବା ସର୍ବେ ଉଦଯୋଗୀ ||

ଛାତିରେ ଅଦମ୍ୟ ସାହସ ସଫଳ ହେବାର ରହସ୍ୟ ||

ସାହସ ସହକାରେ କାର୍ଯ୍ୟ କଲେ ସଫଳ ସର୍ବ କାର୍ଯ୍ୟ ||

ସକଳ ମନ ଏକମନ ସ୍ବାର୍ଥକୁ କରିବା ଦମନ ||

ଜାତୀୟ ଏକତାର ନୀତି ଆଚରି ରଖିବା ସଂହତି ||

ଜାତୀୟ ସଂହତିର ବଳେ ଅସାଧ୍ୟ ସାଧ୍ୟ ହେବ ଭଲେ ||

ଦେଶର ସ୍ବାର୍ଥେ ନିଜ ସ୍ବାର୍ଥ ତୁଚ୍ଛ ମଣିବା ଆତ୍ମ ସ୍ବାର୍ଥ ||

ଦେଶଦ୍ରୋହୀ ଓ ସ୍ବାର୍ଥ ରଙ୍କ ଅଟଇ ବିଶ୍ବର କଳଙ୍କ ||

ବିଶ୍ବ ଭ୍ରାତୃତ୍ବ ବିଶ୍ବ ପ୍ରେମ ବିଶ୍ବବାସୀ କୁଟୁମ୍ବ ସମ ||

ସର୍ବ ମଣିଷ ଯେ ସମାନ ସକଳ ହୃଦେ ହେଉ ଜ୍ଞାନ ||

କଳା ଗୋରା ବା ଉଚ୍ଚ ନୀଚ୍ଚ ଭାବନା ରଖେ ମନେ ନୀଚ୍ଚ ||

ହୋଇବା ସର୍ବେ ଏକମନ ସରବେ ହେବା ଏକ ପ୍ରାଣ ||

ହିଂସା ଦ୍ବେଷ ମନରୁ ତେଜି ସ୍ନେହ ପ୍ରୀତିରେ ବାନ୍ଧ ଆଜି ||

ପରର ମନେ ଦୁଃଖ ଦେଖି ଝରାଉ ଲୁହ ସର୍ବ ଆଖି ||

ପରର ଆନନ୍ଦରେ ସୁଖି ପର ଦୁଃଖରେ ହେବା ଦୁଃଖୀ ||

ପ୍ରକୃତି ଓ ପର୍ଯ୍ୟାବରଣ ସୁରକ୍ଷା ଲାଗି ଦେବା ଧ୍ୟାନ ||

ସ୍ବଚ୍ଛ ଥିଲେ ପର୍ଯ୍ୟାବରଣ ନିରାମୟ ହେବ ଜୀବନ ||

ସକଳ ପ୍ରାଣୀ ସ୍ବାଧୀନତା ବଞ୍ଚାଇ ରଖେ ଜୀବ ସତ୍ତା ||

ଧରଣୀ ଆମର ଜନନୀ ଯାହା ସନ୍ତାନ ସର୍ବପ୍ରାଣୀ ||

ସକଳ ଜୀବେ କର ଦୟା ତେଜିଣ ସର୍ବ ମୋହ ମାୟା ||

ଦୁର୍ନୀତି ଭ୍ରଷ୍ଟାଚାରମାନ ପ୍ରଗତି ବାଧକ ବୁଝିଣ ||

ହୋଇବା ସର୍ବେ ଏକ ପ୍ରାଣ ଦୁର୍ନୀତି କରି ଉତ୍ପାଟନ ||

ସକଳେ ହୋଇଣ ସ୍ବାଧୀନ ଯେସନେ କରେ ବିଚରଣ ||

କରିବା ନିଶ୍ଚିତ ବିଶ୍ବରେ ସହାବସ୍ଥାନ ପ୍ରଶାନ୍ତିରେ ||

ବସୁଧୈବ କୁଟୁମ୍ବକମ୍ ଭାବନା କରିବାନି କମ୍ ||

ସ୍ବାର୍ଥକୁ ଦେବାରେ ଆହୂତି ମନରେ ରଖି ବିଶ୍ବ ପ୍ରୀତି ||

ବିଶ୍ବର କଲ୍ୟାଣ ନିମିତ୍ତ ହୋଇବା ସର୍ବେ ଏକଚିତ୍ତ ||

ହସିବ ଏ ସାରା ଜଗତ ସକଳ ସୁଖେ ଆତଯାତ ||

ଭାରତ ହୋଇବି ସ୍ବାଧୀନ ପରାଧୀନ ତାହାର ଜନ ||

ଶୋଷଣ କଷଣରୁ ମୁକ୍ତି ମିଳିଲେ ହୋଇବ ପ୍ରଗତି ||

ନାରୀର ଧର୍ଷଣ କଷଣ ସୂଚାଏ ସେ ନୁହେଁ ସ୍ବାଧୀନ ||

ହୃଦକୁ ପଚାର ପ୍ରଶନ ସତେକି ଭାରତ ସ୍ବାଧୀନ ||

ଜାଗହେ ଜାଗ ଶତପ୍ରାଣ କରିବା ଦେଶକୁ ସ୍ବାଧୀନ ||

କ୍ଷୁଧା ଦୁର୍ନୀତି ଓ ଶୋଷଣ ଦେଶୁ ହଟାଇ ଚିରଦିନ ||

ରଚିବା ଅନ୍ତିମ ସଂଗ୍ରାମ ଦୁର୍ନୀତି ବିରୁଦ୍ଧେ ସଂଗ୍ରାମ ||

ସ୍ବାଧୀନତା ଶେଷ ଲଢେଇ ଦେବ ଭ୍ରଷ୍ଟାଚାର ହଟାଇ ||

ଲଢିବା ହୋଇ ଏକ ପ୍ରାଣ ହୋଇବା ପ୍ରକୃତ ସ୍ବାଧୀନ ||

ଜୀଇଁବା ସ୍ବାଧୀନ ଜୀବନ ନଥିବ କାହାରି ଦମନ ||

ଆଜିର ଏହି ଅନୁଚିନ୍ତା ସ୍ବାଧୀନ ଭାରତର ଚିନ୍ତା ||

ସର୍ବେ ଯେହ୍ନେ ସ୍ବାଧୀନଚେତା ମନରେ ମୋର ଏହି ଚିନ୍ତା ||

Leave a Comment