✍ତୁମେ ଗଲା ପରେ ପରେ✍
✉✉✉✉✉✉✉✉✉
ତୁମେ ଗଲା ପରେ ପରେ ମୋର ମନବଗିଚାରେ
ଗୋଲାପ ମୁଖରୁ ହସ ଯାଇଛି ଲିଭି
ମଲ୍ଲୀ ଫୁଲର ବାସନା ରଜନୀ ଗନ୍ଧା ସୁଗନ୍ଧ
ମନ୍ଦାର ବଉଳ ଚମ୍ପା ହୃତ ସୁରଭି
ହେନା ହୋଇଛି ବାସହୀନା
ମନ ଆକାଶେ ଜହ୍ନର ନାହିଁ ଜୋଛନା ।
ସୂରୁଯମୁଖୀ ସୁଷମା ମନ ମୋହୁନାହିଁ ଜମା
ଆମ୍ବ ଗଛରେ କୋକିଳ ଗାଉନି ଗୀତ
ପ୍ରଜାପତି ଉଡୁନାହିଁ ଭ୍ରମର ଭ୍ରମେ ପଡିଛି
ମଧୁମକ୍ଷି ଗୁଣୁ ଗୁଣୁ ଗାଉନି ଗୀତ
କଇଁଫୁଲ ମୁହଁ ଲୁଚାଇ
ସକ ସକ ହୋଇ କାନ୍ଦେ ବିରହ ପାଇଁ ।
ଜିନିଆ ସୁଗନ୍ଧରାଜ ସୁଗନ୍ଧ ସୁଷମା ଆଜ
ହରାଇ ହୋଇଛି ଦୁଃଖରେ ମ୍ରିୟମାଣ
ମନ ଆକାଶରେ ମୋର ରୁସି ବସିଛି ଭାସ୍କର
ପଙ୍କଜ ସରସୀ ଜଳେ ଲଭେ କଷଣ
ପବନ ବଜାଉନି ବୀଣା
ବଉଦର ଢୋଲ ଶବ୍ଦ ଆଉ ଶୁଭେନା ।
ମନ ଆକାଶରେ ମୋର ଚାରିଆଡେ ହାହାକାର
କେଉଁଠି ଦୁଃଖେ ଲୁଚିଛି ମେଘ ମହ୍ଲାର
ଦୃଶ୍ୟ ଖାଲି ବେଦନାର ବିରହ ଦାବାନଳର
ସବୁଠାରେ ଶୂନ୍ୟସ୍ଥାନ ଦିଶେ ତୁମର
ତୁମ କଥା ଭୁଲିପାରିନି
ଶୋକରେ ବିଜୁଳୀ ରଚୁନାହିଁ ରୋଷଣୀ ।
