ଓଡିଶା ମୋ ଘର ଓଡିଆ ମୋ ଭାଷା
ଓଡିଆ ମୋ ପ୍ରାଣ ସୁର
ଏହି ଓଡିଶାର ମାୟା ଭରା ପଥେ
ଚାଲିଅଛି ଏତେ ଦୂର ||
ଚାଲୁଅଛି ମୁହିଁ ଚାଲିବାକୁ ଅଛି
ବହୁ ଦୂର ପଥ ବାକି
ଚାଲୁଥିବି ମୁହିଁ ପଡିବିନି ଥକି
ବୁଜିବା ଆଗରୁ ଆଖି ||
ଓଡିଆ ମୋହର ଜୀବନ ଆନନ୍ଦ
ଓଡିଆ ମନର ସୁଖ
ଯେଉଁଠି ବି ଯାଏ ଯେତେ ଦୂରେ ଥାଏ
ଦେଖେ ଓଡିଆର ମୁଖ ||
ମୁହିଁରେ ଓଡିଆ ମୋ ଭାଷା ବଢିଆ
ବଢିଆ ତା ଚମ୍ପୂ ଛାନ୍ଦ
ଓଡିଶୀ ସଂଗୀତ ତା ଓଡିଶୀ ନୃତ୍ୟ
ନର୍ତ୍ତକୀ ଚପଳଛନ୍ଦ ||
ନଦନଦୀ ତାର ଧୂଏ ତା ଶରୀର
ପାଦ ଧୂଅଇ ସାଗର
ତା ନଦୀର ନୀର ଅମୃତ ସମାନ
ମା ଉତ୍କଳ ସ୍ତନ କ୍ଷୀର
ଓଡିଶା ମାଟିର ଉପରେ ଅରଣ୍ୟ
ସବୁଜ ଗିରି ପ୍ରାନ୍ତର
ଯା ମାଟିର ତଳେ ଅମାପ ଖଣିଜ
ରତ୍ନଗର୍ଭା ମାଆ ମୋର
ଓଡିଶା ମୋ ମାଆ ଓଡିଆ ମୋଭାଷା
ଓଡିଆ ମୋ ପ୍ରାଣ ସୁର ||
ଓଡିଶା ମାଟିରୁ ଉପରେ ଚାହିଁଲେ
ଦିଶଇ ନୀଳ ଆକାଶ
ସାଗର ଦେଶରୁ ଉଇଁଣ ସୂରୂଜ
ଢାଳେ ଉଜ୍ଜ୍ବଳ ପ୍ରକାଶ
ଦିନସାରା ରବି ତା ଆକାଶ ପଥେ
ଢାଳିଚାଲେ ରଶ୍ମୀଧାରା
ସଞ୍ଜ ଯେବେ ଆସେ ନଭେ ଜହ୍ନ ହସେ
ହସେ କୋଟି କୋଟି ତାରା
ସାଗର ଦେହରେ ରୂପେଲି କିରଣେ
ଝଲମଲ ହୋଇ ଦିଶେ
ସତେକି ଉତ୍କଳ ପାଦର ପାଉଁଜି
ରୂପା ପରି ଧଳା ଦିଶେ
ନାବରେ ନାଉରୀ ମତ୍ସ୍ୟ ଧରି ଧରି
ଝରାଏ ଅମୃତ ଗୀତ
ଗଲାଣି ଗଲା କଥାରେ ସଂଗାତ
ଧନ୍ୟ ବଳଦେବ ରଥ
ସନ୍ତାନ ଯାହାର ସାହସୀ ସାଧବ
ଲଙ୍ଘୀ ସାତ ପାରାବାର
ଜାଭା ବୋର୍ଣ୍ଣିଓ ସୁମାତ୍ରା ଦ୍ବୀପରେ
କରି ବଣିଜ ବେପାର
ବୋହିଆଣୁଥିଲେ ଧନ ଦଉଲତ
ଯୋଗ୍ୟ ପୁଅ ଓଡିଶାର
ସେ ଓଡିଶା ଅଟେ ଜନ୍ମ ଭୂମି ମୋର
ଅଟେ କର୍ମଭୂମି ମୋର
ଓଡିଆ ମୋ ଭାଷା ମୋ ମନର ଆଶା
ଓଡିଆ ମୋ ପ୍ରାଣ ସୁର
ସେହିଓଡିଶାର ମାୟା ଭରା ପଥେ
ଚାଲିଛି ମୁଁ ଏତେ ଦୂର ||
ଏଇ ଓଡିଶାର ସୁଯୋଗ୍ୟ ସନ୍ତାନ
ଧନ୍ୟ ସେ କଳିଙ୍ଗ ବୀର
ଚଣ୍ଡାଶୋକ ଆସି ଧର୍ମାଶୋକ ହେଲେ
ମହିମା ଏଇ ମାଟିର
ଶାନ୍ତି ମୈତ୍ରୀର ଧ୍ବଜା ଉଡାଇଲେ
ବିଶ୍ବରେ ମଗଧ ବୀର
ସେ ଓଡିଶା ମୋର ଅଟଇ ଜନନୀ
ଓଡିଆ ଭାଷା ମୋହର
ଓଡିଆ ମୋହର ଜୀବନ ଆନନ୍ଦ
ଓଡିଆ ମୋ ପ୍ରାଣ ସୁର
ସେହି ଓଡିଶାର ମାୟା ଭରା ପଥେ
ଚାଲିଛି ମୁଁ ଏତେ ଦୂର |
ସେ ଓଡିଆ ବୀର ମହାମେଘବାହନ
ଐର ଖାରବେଳ ବୀର
ଗଙ୍ଗାରୁ ଆରମ୍ଭି ଗୋଦାବରୀ ଯାଏ
ବଢାଇଲେ ତା ଶରୀର
ପ୍ରସ୍ତର ଦେହରେ ସର୍ପ ହାତୀ ଗୁମ୍ଫା
କୀର୍ତ୍ତି ଖାରବେଳଙ୍କର
ପ୍ରଭୁ ଲୀଙ୍ଗରାଜ ପ୍ରଭୁ ଜଗନ୍ନାଥ
ତାରିଣୀ ମାଆ ମୋହର
ମା ସମଲେଶ୍ବରୀ ମା ଚଣ୍ଡୀ ଚର୍ଚ୍ଚିକା
ସାହା ଆମ ଓଡିଶାର
ତାଙ୍କ ଆଶିଷରେ ଓଡିଆ ଭାଷା ମୋ
ଲଙ୍ଘି ସାତ ପାରାବାର
ତୋଳିବ ମୂର୍ଚ୍ଛନା ଗଗନେ ପବନେ
ଚମ୍ପୂ ଛାନ୍ଦ ଆଦି ତାର
ଯାର ତାଳେ ତାଳେ ଓଡିଶୀ ନର୍ତ୍ତକୀ
ବାଜେ ପାଦର ନୂପୁର
ହୋଇ ରୁଣୁଝୁଣୁ ଗାଏ ଗୁଣୁ ଗୁଣୁ
ଓଡିଆ ଭାଷା ମଧୁର
ଓଡିଆ ମୋ ଭାଷା ଓଡିଆ ମୋ ଆଶା
ଓଡିଆ ମୋ ପ୍ରାଣ ସୁର….
